"ଆପଣଙ୍କ ମହକିଲ ଅଧିକ ଚାଲାକ ହେବାକୁ ଚେଷ୍ଟା କରୁଛନ୍ତି", ଆମାଜନ-ଫ୍ୟୁଚର ଗ୍ରୁପ ବିବାଦରେ କହିଲେ ସିଜେଆଇ ଚନ୍ଦ୍ରଚୂଡ  

Published By : Prameya-News7 Bureau | November 17, 2022 IST

ନୂଆଦିଲ୍ଲୀ: ଆମାଜନ-ଫ୍ୟୁଚର  ଗ୍ରୁପ ବିବାଦରେ ଓକିଲଙ୍କ ତର୍କ ଶୁଣି ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ। ସିଜେଆଇ କହିଛନ୍ତି,  ଫ୍ୟୁଚର ଗ୍ରୁପ(ବରିଷ୍ଠ ଓକିଲ କେଭି ବିଶ୍ଵନାନଥନ) ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶକୁ ବିଫଳ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ସିଙ୍ଗାପୁର ଅର୍ବିଟ୍ରଲ ଟ୍ରାଇବ୍ୟୁନାଲ କାର୍ଯ୍ୟକୁ ରୋକିବାକୁ ଚେଷ୍ଟା କରାଯାଉଛି।

ସିଜେଆଇ ଫ୍ୟୁଚର ଗ୍ରୁପର ଓକିଲ ବିଶ୍ଵନାଥନଙ୍କୁ କହିଛନ୍ତି, ଆପଣଙ୍କ ମହକିଲଙ୍କ ଉଦ୍ଦେଶ୍ୟ ମଧ୍ୟସ୍ଥତାକୁ ପରାଜିତ କରିବା। ଆପଣଙ୍କ ମହକିଲ ଉଚ୍ଚତମ ନ୍ୟାୟାଳୟର ଆଦେଶର ଅବହେଳା କରୁଛନ୍ତି। ମଧ୍ୟସ୍ଥତାଙ୍କ କାର୍ଯ୍ୟକୁ ରୋକିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଉଛି। ଆପଣଙ୍କ ମହକିଲ ଅଧିକ ଚାଲାକ ହେବାକୁ ଚେଷ୍ଟା କରୁଛନ୍ତି।

ଆମାଜନ ପକ୍ଷରୁ ବରିଷ୍ଠ ଓକିଲ ଗୋପାଲ ସୁବ୍ରମଣ୍ୟମ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଜେବି ପାରଦିବାଲାଙ୍କ ପୀଠରେ କହିଛନ୍ତି ଯେ, ଫ୍ୟୁଚର ଗ୍ରୁପ ମଧ୍ୟସ୍ଥତାର କାମକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ପ୍ରଧାନ ବିଚାରପତି ସୁବ୍ରମଣ୍ୟମଙ୍କୁ ଆଶ୍ଵାସନ ଦେଇଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟସ୍ଥତା କାମ ଯେମିତି ପ୍ରଭାବହୀନ ନହୁଏ ତା ଉପରେ ନଜର ରଖିବ।

ଆମାଜନର ଓକିଲ ଗୋପାଳ ସୁବ୍ରମଣ୍ୟମ କହିଛନ୍ତି, ଟ୍ରାଇବ୍ୟୁନାଲ ନଭେମ୍ବର ୨୮ରେ ମାମଲାର ଚୂଡାନ୍ତ ଶୁଣାଣି କରିବାକୁ ଯାଉଛନ୍ତି। ହେଲେ ଫ୍ୟୁଚର ଗ୍ରୁପ ମଧ୍ୟସ୍ଥତାଙ୍କ କାମ ଯେମିତି ନସରେ ସେଥିପାଇଁ ଟ୍ରାଇବ୍ୟୁନାଲର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅନୁଚ୍ଛେଦ ୨୨୭ ଆଧାରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆଉ ଏକ ଆବେଦନ କରିଛନ୍ତି। ତେବେ ଫ୍ୟୁଚର ଗ୍ରୁପ୍ ପକ୍ଷରୁ ଉପସ୍ଥିତ ଓକିଲ ବିଶ୍ଵନାଥନ କହିଛନ୍ତି, ତାଙ୍କ ପକ୍ଷରୁ ଦାୟର ଆବେଦନରେ ମଧ୍ୟସ୍ଥତାଙ୍କ କାର୍ଯ୍ୟର ସ୍ଥିରତା ପ୍ରସଙ୍ଗ ସହିତ ଆଦେଶକୁ ଉଚ୍ଚ ନ୍ୟାୟାଳୟ ଦ୍ଵାରା ସୁରକ୍ଷିତ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.