ଆମେରିକା ରାଷ୍ଟ୍ରପତିଙ୍କ ଭାଇ ରବର୍ଟ ହସ୍ପିଟାଲରେ ଭର୍ତ୍ତି, ଭେଟିବା ଲାଗି ନ୍ୟୁୟର୍କ ଗଲେ ଟ୍ରମ୍ପ
15/08/2020 at 4:41 PM

ୱାସିଂଟନ ୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ନ୍ୟୁୟର୍କର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ଭେଟିବା ଲାଗି ଡୋନାଲ୍ଡ ଟ୍ରମ୍ପ ଯାଇଛନ୍ତି। ୭୨ ବର୍ଷ ବୟସ୍କ ରବର୍ଟ ମେନହଟ୍ଟନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ରବର୍ଟଙ୍କୁ କ’ଣ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାହା ଜଣା ପଡିନଥିବା ବେଳେ ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଇଛି।

ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ନ୍ୟୁଜର୍ସିର ବେଡମିନିଷ୍ଟର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା। ତେବେ ସେଠାରୁ ବାହାରିବା ବେଳେ ଟ୍ରମ୍ପ ନ୍ୟୁୟର୍କ ଯାଉଥିବା ସୂଚିତ କରିଛନ୍ତି। ସେଠାରେ ରବର୍ଟ ନିଶ୍ଚିତ ସୁସ୍ଥ ଥିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଭାଇ ସହ ତାଙ୍କର ସମ୍ପର୍କ ଘନିଷ୍ଠ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କୁ ଭେଟିବାକୁ ମୁଁ ହସ୍ପିଟାଲ ଯାଉଥିବା ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି। ସେ ନିଶ୍ଚିତ ଭଲ ହୋଇଯିବେ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି। ସେମାନଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଉତ୍ତମ। ନିକଟରେ ରବର୍ଟ ଟ୍ରମ୍ପ ତାଙ୍କ ଭାଣଜୀ ମେରୀର ଏକ ପୁସ୍ତକ ପ୍ରକାଶନ ଉପରେ ରୋକ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରମ୍ପ ପରିବାର ପକ୍ଷରୁ ରବର୍ଟ ଏହି ମୋକଦ୍ଦମା ରୁଜୁ କରିଥିଲେ।