ଆନନ୍ଦପୁର,୨୯/୧୦: ' ଭାଇରେ ! କାହିଁକି ଏମିତି ମୋ ସାଙ୍ଗରେ କଲୁ। କଣ କ୍ଷତି କରିଥିଲି ତୋର। ବେଳେବେଳେ ଟିକିଏ ତାଗିଦ କରିଦିଏ। ବଡ଼ ଭାଇର କଣ ଆକଟ କରିବାର ଅଧିକାର ନାହିଁ? ତାବୋଲି ମୋତେ ଜୀବନରୁ ମାରିଦେବୁ?' ମୃତ୍ୟୁ ପୂର୍ବରୁ ସାନ ଭାଇକୁ ବଡ଼ ଭାଇର ଥିଲା ପ୍ରଶ୍ନ। ବଡ଼ ଭାଇର ଏଭଳି ଅଡ଼ିଓ କଲ୍ ଶୁଣିଲେ ଆଖିରେ ଆସିଯିବ ଲୁହ। ଆଉ ମନରେ ନିଶ୍ଚୟ ଏ ପ୍ରଶ୍ନ ଆସିବ ଯେ, ମା ପେଟର ଭାଇ ଏମିତି କେମିତି କରିପାରେ। ଏମିତି ଏକ ଅଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ସତ। ଘଟଣା ଏମିତି କିଛି।
ସେଦିନ ଥିଲା ସେପ୍ଟେମ୍ବର ମାସର ୪ ତାରିଖ। ହଠାତ୍ ରାତିରେ ବଡ଼ ପୁଅ ଦେବବ୍ରତଙ୍କ ଫୋନ୍ ଆସିଲା ବାପା ପ୍ରଦୀପ ଦାସଙ୍କ ପାଖକୁ ଯେ ବାପା ସତ୍ୟବ୍ରତ ଓରଫ ଚଗୁଲୁ ମତେ ମାରିଦେବାକୁ ଚାହୁଁଛି। ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିଅମ ମିଶାଇ ରୁମ ତାଲା ଦେଇ ପଳାଇଛି। ମତେ କିଛି ଲୋକ ଉଦ୍ଧାର କରି ମେଡିକାଲ ନେଉଛନ୍ତି ତୁମେ ଆସ। ଏକଥା ଶୁଣି ଶାଳପଡା ଗୁଣ୍ଡିଚା କଲୋନୀରେ ରହୁଥିବା ବାପା ପ୍ରଦୀପ ମେଡିକାଲ ଧାଇଁ ଆସିଥିଲେ।
ମେଡିକାଲରେ ଦେଖିଥିଲେ ପୁଅ ଦେବବ୍ରତର ଅବସ୍ଥା ଗୁରୁତର। ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ଶାଳପଡା ଗୁଣ୍ଡିଚା କଲୋନୀର ପ୍ରଦୀପ ଦାସଙ୍କର ୩ ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର। ବଡପୁଅ ଦେବବ୍ରତ ଘସିପୁରା ଥାନା ଇନ୍ଦୁପୁରା ନିକଟରେ ଏକ ଦେଶୀ କୁକୁଡ଼ା ଫାର୍ମ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଥିଲେ। ଫାର୍ମରେ ସାନ ଭାଇ ସତ୍ୟବ୍ରତକୁ ମଧ୍ୟ ରଖାଇଥିଲେ। ତେବେ ସାନଭାଇ କୌଣସି କାରଣକୁ ନେଇ ଦେବବ୍ରତର ଖାଦ୍ୟରେ ସ୍ଲୋ ପଏଜନ ଦେବାକୁ ଲାଗିଲା। ଧୀରେ ଧୀରେ ଦେବେନ୍ଦ୍ରଙ୍କ ଦେହ ଖରାପ ହୁଏ । ହେଲେ ସେ ଡାକ୍ତର ଦେଖାଇ ମେଡ଼ିସିନ ଖାଇ ରହିଯାନ୍ତି ହେଲେ ସମୟ ଏମିତି ଆସିଲା ଯେ ବଡ଼ ଭାଇକୁ ମାରିବାକୁ ଫାର୍ମରେ ଥିବା କେମିକାଲକୁ ଢାଳି ଘରେ ତାଲା ଦେଇ ସାନଭାଇ ଫେରାର ହୋଇଗଲା। ବଡଭାଇ ଦେବବ୍ରତଙ୍କୁ କଟକ ସ୍ତାନାନ୍ତର ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା। 10ଦିନ ଚିକିତ୍ସା ପରେ ଅକ୍ଟୋବର ୩ତାରିଖରେ ଆଖି ବୁଜିଲେ ଦେବବ୍ରତ୍ତ।
ହେଲେ ମୃତ୍ୟୁ ପୂର୍ବରୁ ମେଡିକାଲରେ ସେ ସାନଭାଇ ସହିତ ହୋଇଥିବା କଥାବାର୍ତ୍ତାର ଭଏସ ଏବେ ମୋବାଇଲରୁ ମୋବାଇଲ ଭାଇରଲ ହେବାକୁ ଲାଗିଛି। ସେହିଦିନଠାରୁ ସତ୍ୟବ୍ରତ ଫେରାର ଥିବା ବେଳେ ପରିବାର ଏବେ ଚିନ୍ତାରେ । ଏତେବଡ ଘଟଣାରେ କାହିଁକି ପୋଲିସ କେସ୍ କରାଯାଇନି ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପଟେ ମୃତ୍ୟୁ ପୂର୍ବରୁ ବି ନିଜ ଭାଇ ପ୍ରତି ଭଲପାଇବା ଓ ଚିନ୍ତା ତାଙ୍କୁ ମହାନ୍ କରିଦେଇଛି। ସେ ସାନ ଭାଇ ବିରୋଧରେ ଏତଲା ନଦେବାକୁ ଅନୁରୋଧ କରି ସବୁଦିନ ପାଇଁ ଚାଲିଗଲେ।
Also Read- ନିଷ୍ଠୁର ହୋଇଗଲେ ସିଡିପିଓ, ମାନସିକ ଯନ୍ତ୍ରଣାରେ ଜନ୍ମ ପୂର୍ବରୁ ଆଖିବୁଜିଲା କର୍ମଚାରୀଙ୍କ ଶିଶୁ