ସମ୍ପର୍କରେ ଲାଗିଲା ରକ୍ତ ଛିଟା; ମଦ କାଚରେ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

Published By : Prameya-News7 Bureau | December 09, 2022 IST

ବାଲିପାଟଣା ୦୯/୧୨: ସାନ ଭାଇ ଆକ୍ରମଣରେ ବଡଭାଇ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ମୁକୁନ୍ଦଦାଶପୁର ଗ୍ରାମରେ । ମୃତକଙ୍କ ନାମ ଜଗୁ ଭୋଇ। ଆଜି ସକାଳୁ ଜଗୁଙ୍କର କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆକ୍ରମଣକାରୀ ସାନ ଭାଇ ରାଜାକୁ ନିଜ ଘରୁ କାବୁ କରିଛି ପୋଲିସ।

ଗୁରୁବାର ବିଳମ୍ବିତ ରାତ୍ରିରେ ମୁକୁନ୍ଦଦାଶପୁର ଗ୍ରାମରେ ଜଗୁ ଭୋଇ ମଦ ପିଇ ଘରେ ହଙ୍ଗାମା କରିଥିଲା। ଏଥିରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ସାନ ଭାଇ ରାଜା ଏକ ମଦ ବୋତଲ ଭାଙ୍ଗି ଜଗୁ ପେଟକୁ ଭୁଷି ଦେଇଥିଲା। ଆକ୍ରମଣରେ ଜଗୁ ପେଟର ଅନ୍ତବୁଜୁଳି ବାହାରି ପଡ଼ିଥିଲା। ଗୁରୁତର ଅବସ୍ଥାରେ ଜଗୁକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପିପିଲି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳୁ ଜଗୁଙ୍କର ମୃତ୍ୟୁ ହୋଇଛି। ଖବର ପାଇବା ପରେ ବାଲିପାଟଣା ପୋଲିସ ସାନଭାଇ ରାଜାକୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ପ୍ରତ୍ୟେକ ଦିନ ଜଗୁ ଏବଂ ରାଜା ମଦ ପିଇ ଘରେ ମାରପିଟ୍ କରୁଥିବା ପଡ଼ୋଶୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.