ନୀଳଗିରି ଅଂଚଳରୁ ଉଲଗ୍ନ ଅଣ ଓଡିଆ ଯୁବତୀ ଉଦ୍ଧାର ; ଘର ରାଂଚିରେ, କିଏ କଲା ଉଲଗ୍ନ ?

Published By : Prameya-News7 Bureau | October 25, 2018 IST

ବାଲେଶ୍ବର ୨୫|୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ଆଜି ଜଣେ ଅଣ ଓଡିଆ ଯୁବତୀଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ଜଡିଦା ପଂଚାୟତ ପୋଡାସୁଲ ନିକଟ ଦେଇ ସିଆଡିମାଳ ଯାଇଥିବା ରାସ୍ତା କଡରେ ଉଲଗ୍ନ ଅବସ୍ଥାରେ ଏହି ଯୁବତୀ ପଡିରହିଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହା ଦେଖିବାପରେ ଯୁବତୀଙ୍କୁ ଏକ ପୋଷାକ କିଣି ପିନ୍ଧିବାକୁ ଦେଇଥିଲେ । ତାଙ୍କ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିଦେଇଥିଲେ । ତେବେ ଯୁବତୀ ଜଣକ ଗୁମସୁମ ହୋଇ ରାସ୍ତାକଡରେ ବସି ରହିଥିବା ଦେଖିବାକୁ ମିଲିଛି ।  ସେ ରାଞ୍ଚି ଅଂଚଳର ଓ ତାଙ୍କ ନାମ ସୁସ୍ମିତା ବୋଲି ଯୁବତୀ  କହିଛନ୍ତି । ପୂଜା ସମୟରେ ପାରିବାରିକ ଅଶାନ୍ତି ଘଟିବା ଯୋଗୁଁ ସେ ଘର ଛାଡି ଆସିଥିବା ସୂଚନା ଦେଇଛନ୍ତି । ତାଙ୍କ ମୁଣ୍ଡ ମଧ୍ୟ ବେଳେ ବେଳେ ଖରାପ ହେଉଥିବା ସେ କହିଛନ୍ତି । ଯୁବତୀଙ୍କ ସମ୍ପର୍କରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ପୋଲିସ ଯୁବତୀଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରିନାହିଁ । ଗତ କାଲି ରାତିଠାରୁ ଯୁବତୀ ଏଠାରେ ଥିବା ଅନୁମାନ କରାଯାଉଛି । ତେବେ ସେ କେଉଁ ପରିସ୍ଥିତିରେ ଉଲଗ୍ନ ହୋଇପଡିଥିଲେ ସେ ସମ୍ପର୍କରେ କିଛି ଜଣାପଡି ନାହିଁ । ଯୁବତୀ ମଧ୍ୟ ଏ ସମ୍ପର୍କିତ କୌଣସି ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି । ନିଶା ପରବର୍ତ୍ତୀ ପ୍ରଭାବରେ ଥିଲା ଭଳି ଯୁବତୀଙ୍କ ଅବସ୍ଥା ରହିଛି । ସେଥିପାଇଁ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଆଶଂକାକୁ ମଧ୍ୟ ଏଡାଇଦେଇ ହେବ ନାହିଁ । ଖୁବଶୀଘ୍ର ତାଙ୍କୁ ସୁରକ୍ଷା ଯୋଗାଇ ତାଙ୍କ ବାସସ୍ଥଳକୁ ପଠାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.