ଶ୍ରୀମନ୍ଦିର ସାମ୍ନାରେ ମହିଳାଙ୍କୁ ଯୁବକଙ୍କ ଦୁର୍ବ୍ୟବହାର; ପୋଲିସ ପାଖେ ନାହିଁ ସୂଚନା
6/07/2022 at 9:52 PM

ପୁରୀ ୦୬/୦୭: କାଳିଆ ଦୁଆରେ ମହିଳା ବ୍ୟବସାୟୀଙ୍କୁ ଗୋଇଠା ମାଡ଼। ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ରୁଦ୍ରାକ୍ଷ ମାଳି ବିକ୍ରି କରୁଥିବା ମହିଳା ବ୍ୟବସାୟୀଙ୍କୁ ଜଣେ ଯୁବକ ଗୋଇଠା ମାରୁଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯୁବକର ଗୋଇଠା ମାଡ଼ରେ ମହିଳାଜଣକ ତଳେ ପଡିଯିବା ସହ ଚିତ୍କାର କରୁଥିବା ଦେଖିବାକୁ ମିଳିଛି।
ତେବେ ବ୍ୟବସାୟକୁ କେନ୍ଦ୍ରକରି ଯୁବକ ଜଣକ ମହିଳାଙ୍କୁ ଗୋଇଠା ମାରିବା ସହ ଗାଳିଗୁଲଜ କରୁଥିବା ଜଣାପଡିଛି। ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ସମ୍ପୃକ୍ତ ଯୁବକକୁ କାବୁ କରି ବୁଝାସୁଝା କରିଥିଲେ ମଧ୍ୟ ଏନେଇ ପୋଲିସ ପାଖରେ କୌଣସି ସୂଚନା ନାହିଁ। ଶ୍ରୀକ୍ଷେତ୍ର ଭଳି ଧାର୍ମିକ କ୍ଷେତ୍ରରେ ଯୁବକ ଜଣକ ମହିଳାଙ୍କୁ ଏଭଳି ଗୋଇଠା ମାଡ଼ ମାରିବା ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ପୋଲିସ ତୁରନ୍ତ ଏହି ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ହୋଇଛି। କାଳିଆ ଦୁଆରେ ଏବଂ ରାଜ ରାସ୍ତାରେ ଜଣେ ମହିଳା ବ୍ୟବସାୟୀଙ୍କୁ ସମସ୍ତଙ୍କ ସାମ୍ନାରେ ଏଭଳି ଗୋଇଠା ମାରିବା ଓ ଗାଳିଗୁଲଜ କରିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି।