ଢେଙ୍କାନାଳ ୧୫।୧୦: ଢେଙ୍କାନାଳ ଭାପୁର ଅଞ୍ଚଳରୁ ଜଣେ ଯୁବତୀ ଅପହରଣ ମାମଲାରେ ପୋଲିସ କାବୁ କରିଥିବା ରଙ୍ଗିଲା ବାବା କୈବଲ୍ୟ ଜାନିକୁ ଛାଡି ଦେଇଥିବା ଜଣାପଡିଛି । ସେପଟେ ଉଦ୍ଧାର ହୋଇଥିବା ଅପହୃତା ଯୁବତୀକୁ ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ନେଇଥିଲେ ମଧ୍ୟ ଯୁବତୀ ଜଣଙ୍କ ମନା କରିଥିବା ଜଣାପଡିଛି । ଏପରିକି ପୋଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଆଗରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ତେବେ ଯୁବତୀ ଜଣଙ୍କ ବାବା ବିରୁଦ୍ଧରେ ଆଦୌ ପାଟି ଖୋଲିନଥିଲା ବୋଲି ସୂଚନା ମିଳିଛି । ଏପରିକି ଯୁବତୀ ଜଣଙ୍କ ପରିବାର ସାଥିରେ ଘରକୁ ଯାଇଥିବା ବେଳେ ଯୁବତୀଙ୍କୁ ଢେଙ୍କାନାଳର ଏକ ସେଲଟର ହୋମ୍କୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ଯୁବତୀର ପରିବାର ତାଙ୍କର ୨୩ ବର୍ଷ ବୟସ୍କା ଝିଅ ଅପହରଣ ହୋଇଥିବା ସମ୍ପର୍କରେ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ରଙ୍ଗିଲା ବାବା କୈବଲ୍ୟ ଜାନି ସମ୍ପୃକ୍ତ ଥିବା ପୋଲିସକୁ ଜଣାଇଥିଲେ । ଫଳରେ ଢେଙ୍କାନାଳ ସଦର ଥାନାରେ ଏକ ମାମଲା ରୁଜୁ କରି ପୋଲିସର ଏକ ଟିମ୍ ଯାଇ
ରଙ୍ଗିଲା ବାବାର ତିଗିରିଆ ସୋମପଡା ସ୍ଥିତ ଆଶ୍ରମରୁ ଉଠାଇ ଆଣିଥିଲା ।
ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ କରି ଆଶ୍ରମରେ ବାବା ରଖିଥିବା ଅନେକ ଶୁଆଙ୍କୁ ଉଦ୍ଧାର କରାଯାଇଥିଲା । ଏପରିକି ବାବା ବ୍ୟବହାର କରୁଥିବା କାର୍ରୁ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଥିଲା । ଏପଟେ ରଙ୍ଗିଲା ବାବାଙ୍କ ଡିଜେ ତାଳରେ ମସଗୁଲ ନାଚ ଓ ଏହି ଯୁବତୀଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ରଙ୍ଗିଲା ବାବାର ଅସଲ ମୁଖା ଓ ପାଖଣ୍ଡି କାର୍ଯ୍ୟକଳାପର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିଯାଇଥିଲା । ଏପରିକି ଖୋଦ୍ ଏହି ରଙ୍ଗିଲା ବାବା ଉକ୍ତ ଯୁବତୀଙ୍କ ଘରେ ଯାଇ ହୋମଯଜ୍ଞ କରୁଥିବା ଭିଡିଓ କ୍ଲିପ୍ ମଧ୍ୟ ଦେଖିବାକୁ ମିଳିଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପୋଲିସ ହେପାଜତରେ ପଚରା ଉଚରା ବେଳେ ବାବାର ଅସଲ ପରିଚୟ ଖୋର୍ଦ୍ଧା କେରଙ୍ଗର ଗୁରୁଦତ୍ତ ପଟ୍ଟନାୟକ ବୋଲି ଜଣାପଡିବା ସହ ଦୁଇଟି ନାମରେ ଦୁଇ ଦୁଇଟି ଆଧାର କାର୍ଡ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି । ଏସବୁ ପରେ ମଧ୍ୟ ତିନି ଦିନ କାଳ ହେପାଜତରେ ରଖିବା ପରେ ମଧ୍ୟ କୋର୍ଟ ଚାଲାଣ ନକରି ବାବାକୁ ଛାଡ଼ିଦେଇଥିବା ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
You Can Read: