ସିନ୍ଥିରେ ଭରିଲେ ସିନ୍ଦୂର: ଅନାଥ ଝିଅର ହାତ ଧରିଲେ ଯୁବ ବ୍ୟବସାୟୀ

Published By : Prameya-News7 Bureau | February 28, 2020 IST

ବରଗଡ଼୨୮/୨: ବରଗଡ଼ରେ ଅନାଥ ଝିଅର ସିନ୍ଥିରେ ସିନ୍ଦୁର ଭରିଲେ ଯୁବ ବ୍ୟବସାୟୀ । ଆଉ ଏହି ବିବାହ ଉତ୍ସବରେ ସାମିଲ ହେଲେ ଡାକ୍ତର, ସାମ୍ବାଦିକ, ଆଇନଜୀବୀ, ରାଜନେତାଙ୍କ ସମେତ ବହୁ ବୁଦ୍ଧିଜୀବୀ । ଦିନେ ପର ଦୁଆରେ ହାତପାତି ଚଳୁଥିବା ମାଆ ଛଅମାସର ଚାନ୍ଦିନୀଙ୍କୁ ଅନାଥାଶ୍ରମରେ ଛାଡ଼ି ଦେଇଥିଲେ । ଆଉ ୨୧ବର୍ଷ ପରେ ସେଇ ଚାନ୍ଦିନୀର ଆଜି ବାହାଘର ହୋଇଛି। ଯାହାକୁ ନେଇ ଖୁବ୍‌ ଖୁସି ଅଛନ୍ତି ଆଶ୍ରମ ପରିଚାଳକ ଆଉ ସ୍ଥାନୀୟ ବାସିନ୍ଦା।

{"id":230535,"sizeSlug":"large"}

ପ୍ରଥମ ଦେଖାରୁ ହିଁ ଚାନ୍ଦିନୀ ନାଁକୁ ନିଜ ହୃଦୟରେ ଲେଖି ଦେଇଥିଲେ । ଭାବିଥିଲେ ଭଗବାନ ଦେଇଥିବା ସବୁକିଛି ତାଙ୍କ ପାଖରେ ଅଛି, ଏମିତିରେ ଜଣେ ଅନାଥ ଝିଅର ହାତ ଧରି ସଂସାର କରିବେ । ଆଉ ତାହା ହିଁ ହେଲା । ଘର ଲୋକ, ବନ୍ଧୁବାନ୍ଧବଙ୍କ ସହମତିରେ ନିଜ ଅଂଚଳର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଚାନ୍ଦିନୀ ସିନ୍ଥିରେ ସିନ୍ଦୁର ଭରିଲେ ବରଗଡ଼ର ଯୁବ ବ୍ୟବସାୟୀ ଖୀରୋଦ ଅଗ୍ରଓ୍ବାଲ୍‌ ।

{"id":230536,"sizeSlug":"large"}

ବରଗଡ଼ର ସାମଜିକ ସଂସ୍ଥା ବାତ୍ସଲ୍ୟରେ ହୋଇଥିବା ଏହି ବାହାଘରକୁ ଦେଖିଲେ କେହି କହିବେନି ଏଠି ଜଣେ ଅନାଥ ଝିଅର ବାହାଘର ହେଉଥିବା ବୋଲି । କାହିଁକି ନା’ ବାପା ମାଆ ନଥିଲେ କ’ଣ ହେଲା ଅନାଥାଶ୍ରମ ପରିଚାଳକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢ଼ାଇବା ସହ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିବାକୁ ଆଗେଇ ଆସିଥିଲେ ।

{"id":230537,"sizeSlug":"large"}

ଦିନେ  ପର ଦୁଆରେ ହାତପାତି ଚଳୁଥିବା ଅସହାୟ ମାଆ ୬ମାସର ଚାନ୍ଦିନୀଙ୍କୁ ଅନାଥାଶ୍ରମରେ ଛାଡ଼ିଦେଇଥିଲେ । ୟା’ ଭିତରେ ୨୧ବର୍ଷ ବିତିଗଲାଣି । ସବୁ ଯୁବତୀଙ୍କ ଭଳି ଚାନ୍ଦିନୀ ମଧ୍ୟ ବଧୂବେଶର ସ୍ବପ୍ନ ଦେଖୁଥିଲେ । ହେଲେ ସେଇ ସ୍ବପ୍ନ ଯେ ଦିନେ ସାକାର ହେବ ତାକୁ ନେଇ ମନରେ ବିଶ୍ବାସ ନଥିଲା ।

{"id":230538,"sizeSlug":"large"}

କାହିଁକି ନା’ ଆଶ୍ରମରେ ଛୋଟରୁ ବଡ଼ ହୋଇଥିବା ଜଣେ ଅନାଥ ଝିଅର ହାତ କିଏ ଆଉ କାହିଁକି ଧରିବ, ସେ ପ୍ରଶ୍ନ ମଧ୍ୟ ସ୍ବପ୍ନ ଓ ବାସ୍ତବତା ଭିତରେ ପାଚେରୀ ଭଳି ଠିଆ ହୋଇଥିଲା । ଆଜି ଯେତେବେଳେ ସେ ପାଚେରି ହଟିଯାଇଛି, ପାଦରେ ଅଳତା, ହାତରେ ମେହେନ୍ଦି, ମଥାରେ ନାଲି ଓଢ଼ଣୀ ପିନ୍ଧି ନବବଧୂ ବେଶରେ ସଜାଇ ହୋଇଛନ୍ତି ଚାନ୍ଦିନୀ ସେତେବେଳେ ତାଙ୍କ ମନ ଖୁସିରେ ପୂରି ଉଠିଛି । ହେଲେ ଆଶ୍ରମରେ ଭାଇଭଉଣୀଙ୍କୁ ଛାଡ଼ିଯିବାର ଦୁଃଖ ବି  ମନରେ ଅଛି ।

{"id":230539,"sizeSlug":"large"}

ପିଲାଟି ବେଳୁ ପାଳିଥିବା ଚାନ୍ଦିନୀଙ୍କୁ ଆଜି ଯେତେବେଳେ ବିଦାୟ ଦେଉଛନ୍ତି ସେତେବେଳେ ଆଶ୍ରମ ପରିଚାଳକଙ୍କ ଆଖିରେ ମଧ୍ୟ ଲୁହର ଧାର ବୋଲ ମାନୁନି । ତଥାପି ସେ ଖୁସି । ଚାନ୍ଦିନୀଙ୍କ ସୁଖର ସଂସାର ପାଇଁ ସେ ମଙ୍ଗଳକାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.