ମିଛ ଡକାୟତି ଅଭିଯୋଗ ପଡ଼ିଲା ମହଙ୍ଗା; ଯୁବକ ଗିରଫ
24/12/2022 at 5:02 PM

ନବରଙ୍ଗପୁର ୨୪/୧୨: ମିଛ ଡକାୟତି କାହାଣୀ ରଚି ଜଣେ ଗିରଫ। ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଗିରଫ ଅଭିଯୁକ୍ତଙ୍କ ପରିଚୟ ରୁପନ୍ତ ହିୟାଲ। ସେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନିଳଗୁଣ୍ଡି ଗାଁର ବାସିନ୍ଦା। ସେ ନବରଙ୍ଗପୁର ସହର ଅନ୍ତର୍ଗତ ଦଶହରାପଦା ପାଖରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଠାରୁ ମୋଟର ସାଇକଲ, ମୋବାଇଲ ଫୋନ ସହ ୨୭ ହଜାର ଟଙ୍କା ଡକାୟତି କରି ନେଇଥିବା ନବରଙ୍ଗପୁର ସଦର ଥାନାରେ ଅଭିଯୋଗ କରିଥିଲେ। ବନ୍ଧକ ରଖିଥିବା ସୁନା ମୁକୁଳାଇବା ପାଇଁ ଫୋନରେ ଯୋଗାଯୋଗ କରି ତାଙ୍କ ପାଖକୁ ଯିବାବେଳେ ଏହି ଡକାୟତି ହୋଇଥିବା ଅଭିଯୋଗ କରିଥିଲେ।
ତେବେ ପୋଲିସ ଏନେଇ ତଦନ୍ତ କରିବାବେଳେ ସମ୍ପୃକ୍ତ ଯୁବକ ମିଛ ଅଭିନୟ କରୁଥିବା ଜାଣିବାକୁ ପାଇଥିଲା। ବନ୍ଧକ ସୁନା ମୁକୁଳାଇବାକୁ ରୂପନ୍ତଙ୍କ ବାପା ତାକୁ ୨୭ ହଜାର ଟଙ୍କା ଦେଇଥିଲେ। କିନ୍ତୁ ରୂପନ୍ତ ସୁନା ମୁକୁଳାଇବା ବଦଳରେ ନିଜେ ଋଣ କରିଥିବା ଟଙ୍କା ସୁଝିଦେଇଥିଲେ। ତାଙ୍କ ବାପାଙ୍କ ଠାରୁ ବର୍ତ୍ତିବା ପାଇଁ ସେ ଟଙ୍କା ଡକାୟତି ହୋଇଥିବା ମିଛ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସତ୍ୟତା ଜାଣିବା ସହ ରୁପନ୍ତ ହିୟାଲଙ୍କୁ ଗିରଫ କରିଛି । ତାଙ୍କ ମୋଟର ସାଇକଲକୁ ପଡାଲଗୁଡ଼ା ପାଖରେଥିବା ଜଙ୍ଗଲରୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।