ଛୋଟ ବୟସ, ବଡ ସ୍ଵପ୍ନ- ମନୁ ଭାକରଙ୍କ ରହିଛି ଦେଶ ପାଇଁ ପଦକ ଜିତିବାର ଆଶା

Published By : Prameya-News7 Bureau | July 18, 2021 IST

ପୁଣେ ୧୮।୦୭: ଛୋଟ ବୟସ। ହେଲେ ରହିଛି ବଡ ସ୍ଵପ୍ନ ଓ ବଡ ଆଶା। ସେମିତି ଛୋଟ ମୋଟୋ ସ୍ଵପ୍ନ ନୁହେଁ ଦେଶକୁ ମେଡାଲ ଦେଇ ଗୌରବାନ୍ଵିତ କରିବାର ସ୍ଵପ୍ନ। ମନୁ ଭାକର ହେବା ସହଜ ନୁହେଁ। ୧୯ ବର୍ଷ ବୟସରେ ଯେତେବେଳେ କୌଣସି ପିଲା କଣ କରିବେ, କେଉଁ କ୍ୟାରିୟର ଚୟନ କଲେ ଠିକ୍  ହେବ ତାକୁ ନେଇ ବ୍ୟସ୍ତ ଥାଆନ୍ତି। ଏମିତି ଛୋଟ ବୟସରେ ମନୁଙ୍କ କାନ୍ଧରେ ରହିଛି ଦେଶ ପାଇଁ ଅଲିମ୍ପିକ ପଦକ ଜିତିବାର ଦାୟିତ୍ଵ।

ମୋନୁ ଟୋକିଓ ଅଲିମ୍ପିକରେ ତିନୋଟି ଇଭେଣ୍ଟରେ ଅଂଶ ଗ୍ରହଣ କରିବେ। ଟୋକିଓ ଅଲିମ୍ପିକ ପୂର୍ବରୁ ଖେଳା ଯାଇଥିବା ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓସିଜେକ ବିଶ୍ଵ କପ୍‌ରେ ମନୁ ୧୦ ମିଟର ପିସ୍ତଲ ଓ ୨୫ ମିଟର ସ୍ପୋର୍ଟ୍ସ ପିସ୍ତଲର ଫାଇନାଲ୍‌ରେ ପହଞ୍ଚିଥିଲେ। ସେ ୧୦ ମିଟର ଏୟାର ପିସ୍ତଲର ମିଶ୍ରିତ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।

ସେ ୧୦ ମିଟର ଏୟାର ପିସ୍ତଲରେ ଦୁନିଆର ନମ୍ବର ଦୁଇ ଖେଳାଳି। ସେ ୨୫ ମିଟର ସ୍ପୋର୍ଟ୍ସ ପିସ୍ତଲରେ ସପ୍ତମ ସ୍ଥାନରେ ଅଛନ୍ତି। ୨୦୧୯ରେ ମନୁ ସୌରଭ ଚୌଧୁରୀଙ୍କ ସହ ପଞ୍ଚମ  ବିଶ୍ଵ କପ୍, ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଏହି ସବୁ ସଫଳତା ହିଁ ତାଙ୍କ ପ୍ରତିଭାର କାହାଣୀକୁ ବର୍ଣ୍ଣନା କରିଥାଏ।

ସୁଟର ଟିମ୍ ଶନିବାର ଟୋକିଓ ପହଞ୍ଚି ସାରିଛନ୍ତି। ଟୋକିଓରେ ପହଞ୍ଚି ମନୁ ଭାକର ବହୁତ ଖୁସି। ମୋନୁ ଭାକର କହିଛନ୍ତି, ମୋତେ ଅଲିମ୍ପିକ ଗ୍ରାମ ବହୁତ ପସନ୍ଦ ଆସିଛି। ମୁଁ ଏହାକୁ ବହୁ ସମୟରୁ ଅପେକ୍ଷା କରିଥିଲି। ମୁଁ ଏଠାକୁ ଆସି ଅତ୍ୟନ୍ତ ଖୁସି। ମୁଁ ଏଠାକାର ସମୟ ସହିତ ତାଳ ଦେବାକୁ ଚେଷ୍ଟା କରୁଛି। ଟ୍ରେନିଂ ଆରମ୍ଭ  କରିବା ପୂର୍ବରୁ କ୍ରୀଡା ଗ୍ରାମ ବୁଲି ସବୁ ପଚାରି ବୁଝିବି।

ଭାରତୀୟ ସୁଟର ଅଲିମ୍ପିକକୁ ଆସିବା ପୂର୍ବରୁ ପ୍ରଥମ ଦୁଇ ମାସ  କ୍ରୋଏସିଆରେ ପ୍ରଶିକ୍ଷଣ ନେଇଥିଲେ। ସେଠାରେ ପ୍ରସ୍ତୁତି ଭଲ ଥିବା କହିଛନ୍ତି ମନୁ ଭାକର। ମୁଁ ନିଜର କ୍ୟାମ୍ପ ଓ ନିଜର ପ୍ରସ୍ତୁତିକୁ ନେଇ ସନ୍ତୁଷ୍ଟ। ହେଲେ ଗତ ଏକ ବର୍ଷ ଆମକୁ ବହୁତ ପରିଶ୍ରମ କରିବାକୁ ପଡିଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.