ଆପଣ ଭାତ-ରୁଟି ଖାଉଥିବେ, କିନ୍ତୁ ଏହି ବ୍ୟକ୍ତି ଖାଉଛନ୍ତି କାଠି-ପତ୍ର, ୧୦ ବର୍ଷ ହେଲା ଜ୍ବର ବି ହୋଇନି !

Published By : Prameya-News7 Bureau | November 26, 2021 IST

ଶହଡୋଲ ୨୬/୧୧:  ମଣିଷ ବଞ୍ଚି ରହିବା ପାଇଁ ଖାଦ୍ୟର ଆବଶ୍ୟକତା ଅନେକ। ଶରୀରକୁ ପୋଷକ ତତ୍ତ୍ବର ଜରୁରୀ ଥିବା ବେଳେ ଏହା ଖାଦ୍ୟରୁ ହିଁ ମିଳେ। ତେଣୁ ଏବେ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁଛନ୍ତି। ଆଉ ଏହି ଖାଦ୍ୟ ସଂଗ୍ରହ ପାଇଁ ଲୋକେ କାମ କରି ରୋଜଗାର କରୁଛନ୍ତି। କାରଣ ଘରେ ବସିଲେ ତ ଖାଇବା ଆପେ ଆପେ ମିଳିବନି । କଥାରେ ଅଛି ପେଟ ପାଇଁ ସବୁ ନାଟ। କିନ୍ତୁ ଏମିତି ଜଣେ ମଣିଷ ଅଛନ୍ତି ଯାହାଙ୍କୁ ଖାଇବାକୁ ନମିଳିଲେ ବି କିଛି ଅସୁବିଧା ନାହିଁ। କାରଣ ସେ ଗଛର ପତ୍ର ଏବଂ କାଠି ଖାଇ ବଞ୍ଚିପାରୁଛନ୍ତି। ପିଲା ବେଳୁ କାଠି,କୁଟା, ପତ୍ର ଖାଇବାକୁ ଭଲ ପାଉଥିଲେ। କିନ୍ତୁ ଏବେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଛି। ଦୀର୍ଘ ୧୦ ବର୍ଷ ହେଲା ସେ ପତ୍ର ଏବଂ କାଠ ଖାଇ ବଞ୍ଚିଛନ୍ତି। ଏପରିକି ତାଙ୍କ ଶରୀରରେ କିଛି ରୋଗ ନାହିଁ ବୋଲି ସେ ଦାବି କରୁଛନ୍ତି।

ମଧ୍ୟପ୍ରଦେଶର ଶହଡୋଲ୍‌ ଜିଲାରେ ରୁହନ୍ତି ଏଭଳି ଅଜବ ମଣିଷ ଭୋରା ଯାଦବ। ବୟସ ପାଖାପାଖି ୫୫ ବର୍ଷ ହେବ। ସେ ଦିନ ସାରା ଗାଁରେ ବୁଲନ୍ତି। ବେଳେ ବେଳେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଆନ୍ତି। ଭୋରା ପତ୍ର, କାଠ ଖାଉଥିବା ଦେଖି ଲୋକେ ଆଉ ଆଶ୍ଚର୍ଯ୍ୟ ଚକିତ ହେଉନାହାନ୍ତି। କାରଣ ସେମା​‌ନେ ଏହା ଦେଖି ଦେଖି ଅଭ୍ୟସ୍ତ ହୋଇଗଲେଣି। ଭୋରା ନିଜେ କୁହନ୍ତି ଯେ ସେ ପିଲା ବେଳୁ ମଜାରେ ମଜାରେ ପତ୍ର, କାଠି ଆଦି ଖାଇ ଦିଅନ୍ତି। ଧୀରେ ଧୀରେ ସେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି । ଏବେ ସେ ଦୀର୍ଘ ୧୦ ବର୍ଷ ହେଲା ପତ୍ର ଏବଂ କାଠ ନଖାଇଲେ ତାଙ୍କୁ କିଛି ଭଲ ଲାଗୁନାହିଁ । ପତ୍ର କି କାଠ ନଖାଇଲେ ତାଙ୍କୁ କିଛି ଅଧୁରା ରହିଗଲା ଭଳି ମନେ ହେଉଥିବା କହିଛନ୍ତି ଭୋରା ଯାଦବ।

ସେ ବିଶେଷ କରି ୟୁକାଲିପଟାସ୍‌ ଗଛର ପତ୍ର ଖାଉଛନ୍ତି । ଭୋରା ନିଜର ଦାଦା-ଖୁଡ଼ୀଙ୍କ ପାଖରେ ରହୁଥିବା ବେଳେ ତାଙ୍କୁ ବେଳେ ବେଳେ ଖାଇବା ନମିଳିଲେ ବି ସେ ପତ୍ର ଏବଂ କାଠରେ ପେଟ ପୂରାଇ ଦିଅନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ତାଙ୍କୁ ୧୦ ବର୍ଷ ହେଲା ସାଧରଣ ଜ୍ବର ବି ହୋଇନାହିଁ। ପୁରା ଫିଟ୍‌ ଅଛନ୍ତି ବୋଲି ନିଜେ ଭୋରା କୁହନ୍ତି। କିନ୍ତୁ ଡାକ୍ତରଙ୍କ ଅନୁସାରେ, କାଠରୁ କୌଣସି ପ୍ରକାର ପୋଷକ ତତ୍ତ୍ବ ଶରୀରକୁ ମିଳିବନି। ଏହା ସହ ସେଗୁଡ଼ିକ ହଜମ ହୋଇପାରିବ ନାହିଁ। ତେଣୁ ଖୁବଶୀଘ୍ର ପେଟରେ ଅଲସର ମଧ୍ୟ ହୋଇପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.