ଆହୁରି କଠୋର ହେଲେ ଯୋଗୀ: ୟୁପିରେ ଗୋହତ୍ୟା କଲେ ୧୦ ବର୍ଷ ଜେଲ୍ ଦଣ୍ଡ, ୫ ଲକ୍ଷ ଜୋରିମାନା
9/06/2020 at 10:07 PM

ଲକ୍ଷ୍ନୌ ୦୯।୦୬: ଉତ୍ତର ପ୍ରଦେଶରେ ଗୋବଂଶର ସୁରକ୍ଷା ଲାଗି ଗୋଚାଲାଣର ଅପରାଧୀଙ୍କୁ ଆହୁରି କଡା ସଜା ଦିଆଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କ୍ୟାବିନେଟ୍ ବୈଠକରେ ୟୁପି ଗୋବଧ ନିବାରଣ(ସଂଶୋଧନ) ଅଧ୍ୟାଦେଶ-୨୦୨୦କୁ ମଞ୍ଜୁରୀ ଦେଇଛନ୍ତି। ଏହାରି ଆଧାରରେ ଗୋବଂଶର ହତ୍ୟା ଉପରେ ୧୦ ବର୍ଷର ଜେଲ୍ ସଜା କରାଯାଇଛି।। ଏହା ସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ହୋଇଛି। ଅଧିନିୟମ ଅନୁଯାୟୀ ପୁନର୍ବାର ଧରା ପଡିଲେ ଦୋଷୀଙ୍କୁ ଦୁଇ ଗୁଣା ସଜା ମିଳିବ।
ଅଭିଯୁକ୍ତଙ୍କ ପୋଷ୍ଟର ମଧ୍ୟ ଲଗାଯିବ। ଅଧ୍ୟାଦେଶ ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଲାଗୁ ହୋଇପାରେ। ଅଧ୍ୟାଦେଶ ଜରିଆରେ ୟୁପି ଗୋବଧ ନିବାରଣ ଅଧିନିୟମରେ ପରିବର୍ତ୍ତନ କରି ଏହାକୁ ଆହୁରି କଠୋର କରାଯାଇଛି। ସଂପ୍ରତି ଆଇନରେ ଗୋବଂଶ ବଧ କିମ୍ବା ଚାଲାଣ ଉପରେ ସର୍ବନିମ୍ନ ସଜା ଲାଗି ପ୍ରାବଧାନ ନାହିଁ । ଏବେ ଗୋତସ୍କରି ଉପରେ ସର୍ବନିମ୍ନ ୩ ବର୍ଷର ସଜା ଓ ସର୍ବନିମ୍ନ ୩ ଲକ୍ଷ ଟଙ୍କା ଜୋରିମାନା ନିୟମ କରାଯାଇଛି। ଅନ୍ୟପଟେ ଗୋବଂଶର କିଛି କ୍ଷତି କଲେ ଅତି କମରେ ୧ ବର୍ଷର ସଜା ଓ ୧ ଲକ୍ଷ ସର୍ବନିମ୍ନ ଜୋରିମାନାର ପ୍ରାବଧାନ କରାଯାଇଛି।
ଅଭିଯୁକ୍ତଙ୍କଠୁ ଆଦାୟ କରାଯିବ ଭରଣ-ପୋଷଣର ଖର୍ଚ୍ଚ
ପ୍ରସ୍ତାବିତ ଆଇନ ଅନୁସାରେ ଯଦି ଚାଲାଣ ଲାଗି ନିଆଯାଉଥିବା ଗୋଗୁଗାଈ ଜବତ ହୁଏ ତେବେ ଏକ ବର୍ଷ ପର୍ଯ୍ୟନ୍ତ ଏହାର ଭରଣ ପୋଷଣର ଖର୍ଚ୍ଚ ଆଦାୟ କରାଯିବ। ଏହା ବ୍ୟତୀତ ଗୋଚାଲାଣର ଅଭିଯୁକ୍ତଙ୍କ ଫଟୋ ସାର୍ବଜନୀନ ଭାବେ ଲଗାଯିବ।