ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଯୋଗୀ ସରକାରଙ୍କ ସ୍ୱାଗତ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | November 13, 2024 IST

ଲକ୍ଷ୍ନୌ ୧୩।୧୧: ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉତ୍ତରପ୍ରଦେଶର (ୟୁପି)ର ଯୋଗୀ ସରକାର ସ୍ୱାଗତ କରିଛନ୍ତି। ଜମିୟତ ଉଲେମା-ଏ-ହୀନ୍ଦ ବନାମ ଉତ୍ତର ଦିଲ୍ଲୀ ନଗରନିଗମ ଓ ଅନ୍ୟ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ କାର୍ଯ୍ୟପାଳିକା ନ୍ୟାୟପାଳିକା ନୁହନ୍ତି ଓ ଦୋଷୀ କିଏ ତାହା ନିର୍ଦ୍ଧାରଣ କରିପାରିବେ ନାହିଁ। ଯଦି କାର୍ଯ୍ୟପାଳିକା କାହା ଘରକୁ କେବଳ ଏଥି ପାଇଁ ଭାଙ୍ଗି ଦିଅନ୍ତି ଯେ ସେ ଦୋଷୀ, ତେବେ ଏହା ଶକ୍ତିମାନଙ୍କ ପୃଥିକୀକରଣ ସିଦ୍ଧାନ୍ତର ଉଲ୍ଲଂଘନ। 

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ୟୁପିର ଯୋଗୀ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରତିକ୍ରିୟା ଜାରି କରାଯାଇଛି। ଏହି ପ୍ରତିକ୍ରିୟାରେ କୁହାଯାଇଛି ଯେ ଆଇନ ରାଜର ପ୍ରଥମ ସର୍ତ୍ତ ସୁଶାନ ହୋଇଥାଏ। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଏ ନେଇ ଯୋଗୀ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ଏଥିରେ ଅପରାଧୀଙ୍କ ମନରେ ଭୟ ସଞ୍ଚାର ହେବ। ମାଫିଆ ପ୍ରବୃତ୍ତିର ତତ୍ୱ ଓ ସଙ୍ଗଠିତ ପେଷାଦାର ଅପରାଧିଙ୍କ ଉପରେ ଏହି ରାୟ ଯୋଗୁ ଲଗାମ କଷିବା ସହଜ ହେବ। 


ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏହି ରାୟ ଅନୁସାରେ ସମସ୍ତଙ୍କ ଉପରେ ଆଇନର ରାଜ ଲାଗୁ ହେଉଛି । ଯୋଗୀ ସରକାର ତାଙ୍କ ବୟାନରେ ସ୍ପଷ୍ଟ କରିଦେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଦିଲ୍ଲୀ ସହ ସମ୍ପର୍କିତ ଏବଂ ଉତ୍ତରପ୍ରଦେଶ ସରକାର ଏଥିରେ ପକ୍ଷ ନଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବେ ୟୁପି ରାଜନୀତିକୁ ଉଷ୍ମ କରିଛି। ୟୁପି ସରକାରଙ୍କ ସମେତ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଧାନସଭା ଉପନିର୍ବାଚନ ପ୍ରଚାର କାଳରେ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେବା ସହିତ ଏହାକୁ ସ୍ୱାଗତ କରିଛନ୍ତି।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.