ଅଯୋଧ୍ୟାରେ ରାମଲୀଳା ପ୍ରସ୍ତୁତି: ବଲିଉଡ ଅଭିନେତା ଶାହବାଜ ଖାନ ହେବେ ରାବଣ, ବିଭିନ୍ନ ଚରିତ୍ରରେ ଅଭିନୟ କରିବେ ବିଜେପି ସାଂସଦ

Published By : Prameya-News7 Bureau | August 18, 2020 IST

ଅଯୋଧ୍ୟା ୧୮/୦୮ : ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ କରିଥିଲେ | ଏହାପରେ ଉତ୍ତର ପ୍ରଦେଶ ସାଂସ୍କୃତିକ ବିଭାଗ ବିଶେଷ ଯୋଜନା କରିଛନ୍ତି | ଚଳିତ ବର୍ଷ ଦଶହରା ଅବସରରେ ଅଯୋଧ୍ୟାରେ ଭବ୍ୟ ରାମଲୀଳା ଆୟୋଜନ କରାଯିବ | ରାମଲୀଳାର ବିଭିନ୍ନ ଚରିତ୍ରରେ ବଲିଉଡ ତାରକାଙ୍କ ସହ ବିଜେପି ସାଂସଦ ମଧ୍ୟ ନଜର ଆସିବେ | ବଲିଉଡ ଅଭିନେତା ଶାହବାଜ ଖାନ, ଆଶୁତୋଷ ରାଣା, ଗୋରଖପୁର ବିଜେପି ସାଂସଦ ରବି କିଶନ ଏବଂ ମନୋଜ ତିୱାରୀ ଅଭିନୟ କରିବେ | ଉତ୍ତର ପ୍ରଦେଶ ସରକାରଙ୍କ ସାଂସ୍କୃତିକ ବିଭାଗ ଏହି ଆୟୋଜନ ପାଇଁ ପୁରା ପ୍ରସ୍ତୁତି ସହିତ ପ୍ରୋପୋଜାଲ ପ୍ରସ୍ତୁତ କରିଛନ୍ତି | ସରକାରଙ୍କ ତରଫରୁ ସହମତି ପରେ ଏହା ଉପରେ କାମ ଆରମ୍ଭ ହେବ |

ଏହି ପ୍ରସ୍ତାବ ଉପରେ ତମାମ ବୈଠକ ଓ ଯୋଜନା ପ୍ରସ୍ତୁତ ହୋଇଛି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୋହର ଲାଗିବ ବାକି ଅଛି | ପ୍ରଥମଥର ପାଇଁ ଐତିହାସିକ ମଞ୍ଚସ୍ଥ ରାମଲୀଳାରେ ଫିଲ କଳାକାରଙ୍କ ସହିତ ବିଦେଶୀ କଳାକାରଙ୍କୁ ସାମିଲ କରାଯିବା ଯୋଜନା ରହିଛି | ରାମଲୀଳା ପାଇଁ ମୁଖ୍ୟ ଚରିତ୍ର ଚୟନ ମଧ୍ୟ କରାଯାଇଛି |  

ସୂଚନା ଅନୁଯାୟୀ, ଗୋରଖପୁର ସାଂସଦ ରବି କିଷନ ଭାରତଙ୍କ ଚରିତ୍ରରେ ଅଭିନୟ କରିବେ | ମନୋଜ ତିୱାରୀ ଅଙ୍ଗଦ, ବିନ୍ଦୁ ଦାରା ସିଂହ ହନୁମାନ, ଶାହବାଜ ଖାନ ରାବଣ ଚରିତ୍ରରେ ଅଭିନୟ କରିବେ | ଆଶୁତୋଷ ରାଣାଙ୍କ ସମେତ ବଲିଉଡର ଅନେକ ଲୋକପ୍ରିୟ କଳାକାର ରାମଲୀଳା ମଞ୍ଚରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବେ | ତେବେ ମୁଖ୍ୟ ଚରିତ୍ର ରାମ ଓ ସୀତାଙ୍କ ଚରିତ୍ର ପୈଁନ କଳାକାର ଚୟନ ବାକି ଅଛି |

ଏହି ଆୟୋଜନ ସମୟରେ ଟିଭିରେ ପୂର୍ବରୁ ପ୍ରସାରିତ ହୋଇଥିବା ରାମାୟଣ ଧାରାବାହିକର କଳାକାରଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବା ପାଇଁ ବିଚାର କରାଯାଉଛି | ବଲିଉଡ କଳାକାରଙ୍କ ତରଫରୁ ଏହି ପ୍ରସ୍ତାବର ନେତୃତ୍ୱ କଳାକାର ରାଜା ବୁନ୍ଦେଲା ନେଇଛନ୍ତି | ଏହି ରାମଲୀଳା ସମୟରେ ଅଯୋଧ୍ୟାକୁ ପୁଣିଥରେ ସଜାଯିବ | ରାମ ଜନ୍ମଭୂମି ଟ୍ରଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ | ମୁଖ୍ୟ ଆୟୋଜନ ପାଇଁ ଉତ୍ତର ପ୍ରଦେଶ ସରକାର ବିଶେଷ ବଜେଟ ବ୍ୟବସ୍ଥା କରିପାରନ୍ତି |

ସୂଚନା ଅନୁଯାୟୀ, ରାମଲୀଳା ପ୍ରସାରଣ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଏଲଇଡ଼ି ମାଧ୍ୟମରେ କରାଇବେ | ଏଥିପାଇଁ ସଂସ୍କୃତି ବିଭାଗ ସଂପୃକ୍ତ ଅଧିକାରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ଉପସ୍ଥାପନା କରିସାରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.