ଉତ୍ତର ପ୍ରଦେଶ ପୌର ନିର୍ବାଚନକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା: କହିଲେ ଓବିସି ସଂରକ୍ଷଣ ଦେବା ପରେ ହିଁ କରାଯିବ ନିର୍ବାଚନ

Published By : Prameya-News7 Bureau | December 27, 2022 IST

ନୂଆଦିଲ୍ଳୀ, ୨୭/୧୨: ଉତ୍ତର ପ୍ରଦେଶ ପୌରପାଳିକା ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନିଶ୍ବୟ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରକୃତରେ ଆଲାହାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ପୌରପାଳିକା ନିର୍ବାଚନରେ ଓବିସି ସଂରକ୍ଷଣକୁ ରଦ୍ଧ କରି ନିର୍ବାଚନ କରିବାକୁ ନିର୍ଦେ୍ଦଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏହି ନିର୍ଦେ୍ଦଶ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଛନ୍ତି ଯେ ରାଜ୍ୟ ଓବିସି ନାଗରିକଙ୍କୁ ସଂରକ୍ଷଣ ଉପଲବ୍ଧ କରାଇବେ ଏବଂ ଏହାପରେ ହିଁ ପୌର ନିର୍ବାଚନ ହେବ।

ବୁଧବାର ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସହରାଞ୍ଚଳ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ସରକାର ଏକ କମିଶନ ଗଠନ କରିବେ ଏବଂ ଟ୍ରିପଲ୍ ଟେଷ୍ଟ ଆଧାରରେ ଓବିସି ନାଗରିକଙ୍କୁ ସଂରକ୍ଷଣ ସୁବିଧା ଯୋଗାଇ ଦେବେ। ଏହାପରେ ହିଁ ପୌରପାଳିକା ନିର୍ବାଚନ ହେବ। ଏହା ସହ ଯୋଗୀ କହିଛନ୍ତି ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିଚାର କରି ସୁପ୍ରିମକୋର୍ଟରେ ଅପିଲ୍ କରିବେ।

ସୂଚନାଯୋଗ୍ୟ, ଆଲାହାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚ ମଙ୍ଗଳବାର ରାଜ୍ୟ ସରକାରଙ୍କ ପୌର ନିର୍ବାଚନ ସମ୍ବନ୍ଧୀୟ ଇସ୍ତାହାରକୁ ରଦ୍ଧ କରିଥିଲେ ଏବଂ ବିନା ଓବିସି ସଂରକ୍ଷଣରେ ପୌର ନିର୍ବାଚନ କରାଇବାକୁ ଆଦେଶ ଦେଇଥିଲେ ହାଇକୋର୍ଟ। ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍ ସୌରଭ ଲବାନିୟାଙ୍କ ବେଞ୍ଚ ଏହି ଆଦେଶ ପରେ ସହରାଞ୍ଚଳରେ ସ୍ଥାନୀୟ ପୌର ନିର୍ବାଚନ ପାଇଁ ବାଟ ଫିଟିଥିଲା। ହାଇକୋର୍ଟ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦେ୍ଦଶ ଅନୁଯାୟୀ, ‘ଟ୍ରିପଲ୍ ଟେଷ୍ଟ ଫର୍ମୂଲା’ ବିନା ଓବିସି ସଂରକ୍ଷଣ ଇସ୍ତାହାର ଅଣାଯାଇଥିଲା। ଏଥିପାଇଁ ଏହାକୁ ରଦ୍ଧ କରାଯାଇଛି।

ଏହା ପୂର୍ବରୁ ରାଜ୍ୟ ସରକାର ଚଳିତ ମାସର ଆରମ୍ଭରେ ତ୍ରିସ୍ତରୀୟ ପୌରପାଳିକା ନିର୍ବାଚନରେ ୧୭ ନଗର ନିଗମର ମେୟର, ୨୦୦ ନଗରପାଳିକା ପରିଷଦ ଅଧ୍ୟକ୍ଷ ଏବଂ ୫୪୫ ନଗର ପଞ୍ଚାୟନ ପାଇଁ ସଂରକ୍ଷିତ ସିଟ୍ ତାଲିକା ଜାରି କରି ସାତ ଦିନ ମଧ୍ୟରେ ପରାମର୍ଶ କିମ୍ବା ଆପତ୍ତି ମାଗିଥିଲେ ଏବଂ ପରାମର୍ଶ/ଆପତ୍ତି ମିଳିବାର ଦୁଇ ଦିନ ପରେ ଅନ୍ତିମ ସୂଚନା ଜାରି କରାଯିବ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.