ବାବା ରାମଦେବ କହିଲେ ସଲମାନ ଖାନ ନିଅନ୍ତି ଡ୍ରଗ୍ସ, ଅମୀର ଖାନ୍ ଖାଁ କଥା ଜାଣିନି, କଣ ବାବାଙ୍କ ନିଶା ମିଶନ ?

Published By : Prameya-News7 Bureau | October 17, 2022 IST

ମୁମ୍ବାଇ: ଡ୍ରଗ୍ସ ସେବନ ନେଇ ପୂର୍ବରୁ ବଦନାମ ଥିବା ବଲିଉଡ୍‌ ଉପରେ ଖପ୍ପା ଯୋଗ ଗୁରୁ ରାମ ଦେବ ଷ୍ଟାର୍‌ମାନଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶା ମୁକ୍ତ ଭାରତ ବିଷୟରେ ଲୋକଙ୍କୁ ଜାଗ୍ରତ କରିବା ସହ ସଲମାନ ଓ ଶାହରୁଖଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବାବା।

ତା ସହିତ ଇସ୍ଲାମ୍‌ରେ ମଦ ହରାମ ବୋଲି କହି ଏହାକୁ ପିଉଥିବା ଲୋକଙ୍କୁ ଅପବିତ୍ର କହିବା ସହ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଟାର୍ଗେଟ୍ କରିଥିଲେ ରାମଦେବ। ସେ କହିଥିଲେ ଯେ ନିଶା ନିବାରଣ ଉପରେ ଆର୍ଯ୍ୟ ସମାଜ ଅନେକ କାମ କରିଛି। ଯେଉଁଦିନ ଦେଶ ନିଶାମୁକ୍ତ ହେବେ ସେହିଦିନ ମହର୍ଷି ଦୟାନନ୍ଦଙ୍କ ସ୍ୱପ୍ନ ସାକାର ହେବ। ସରକାର ଆଇନ ଆଣି ନିଶା ବନ୍ଦ କରିପାରିବେ ନାହିଁ ଏଥିପାଇଁ ଲୋକ ଜାଗ୍ରତ ହେବା ଉଚିତ ବୋଲି ରାମ ଦେବ କହିଥିଲେ।   

ସେ ଆହୁରି ମଧ୍ୟ କହିଥିଲେ ଯେ ଇସ୍ଲାମରେ ଯଦି ଲୋକ ମଦ ଛାଡ଼ି ଦେଉଛନ୍ତି ତେବେ ସେମାନେ ବିଡି ସିଗାରେଟ୍, ତମ୍ବାକୁ ଓ ଗୁଟଖା ଏମିତିକି ଡ୍ରଗ୍ସ ଖାଇବା ଆରମ୍ଭ କରିଦେଉଛନ୍ତି। ଆଜି ଏକମାତ୍ର ଆର୍ଯ୍ୟ ସମାଜ ହିଁ ପବିତ୍ର ରହିଛି।

ଏହାପରେ ବଲିଉଡ୍‌ ଷ୍ଟାର୍‌ମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାମଦେବ। ସେ କହିଥିଲେ ଯେ ନିକଟରେ ଶାହାରୁଖ ଖାନ୍‌ଙ୍କ ପୁଅ ଡ୍ରଗ୍ସ ନେବା ଅଭିଯୋଗରେ ଜେଲ୍‌ର ପବନ ଖାଇକି ଆସିଛି। ସଲମାନ ଖାନ୍, ଶାହାରୁଖ ଖାନ ଓ ଅମିର ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ କେଜାଣେ କେତେ ଲୋକ ଡ୍ରଗ୍ସ ନେଉଛନ୍ତି। ତେବେ ଅମୀର ଖାନ ଡ୍ରଗ୍ସ ନିଅନ୍ତି କି ନାହିଁ ମୁଁ ଜାଣିନି ବୋଲି ରାମଦେବ ବାବା କହିଛନ୍ତି। ନିର୍ବାଚନ ସମୟରେ ବି ମଦ ବଣ୍ଟାଯାଉଛି। ସେ ନିଶାମୁକ୍ତ ନେଇ ଆନ୍ଦୋଳନ ଚଳାଇବେ ବୋଲି କାର୍ଯ୍ୟକ୍ରମରେ କହିଥିଲେ ରାମଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.