ବର୍ଷା ଛାଡିବ, ଥଣ୍ଡା ବଢିବ : ସପ୍ତାହେ ଯାଏଁ କଲବଲ କରିବ ଶୀତ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | February 09, 2020 IST

ଭୁବନେଶ୍ବର ୯।୨: ଅଦିନିଆ ବର୍ଷାରେ ଭିଜିଛି ସାରା ଓଡ଼ିଶା । କାଲୁଆ ପବନ ସାଙ୍ଗକୁ ବର୍ଷା ମାଡ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରବଳ ଥଣ୍ଡାରେ ସାରା ଓଡ଼ିଶା ଥରୁଛି । ଆଜି ମଧ୍ୟ ଏହିଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଆଜି ସାରା ରାଜ୍ୟରେ ଝିପିଝିପି ବର୍ଷା ହେବ। ସଂଧ୍ୟା ପରେ ପାଗରେ ପରିବର୍ତ୍ତନ ଆସିବ । ବର୍ଷା ଛାଡ଼ିବା ପରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବା ସହ ସାରା ରାଜ୍ୟରେ ପ୍ରବଳ ଥଣ୍ଡା ହେବ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ପାରଦ ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କୋରାପୁଟ, କନ୍ଧମାଳରେ ହାଲୁକା ବର୍ଷା ହେବାକୁ ଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।

ଅନୁଗୋଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ଶୀତ ହେବ । ତେଣୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର ବାକି ଅଞ୍ଚଳରେ ବି ଥଣ୍ଡା ହେବ କିନ୍ତୁ ଆଭ୍ୟନ୍ତର ଓ ଉତ୍ତର ଓଡିଶା ତୁଳନାରେ କମ୍ ହେବ । ସେହିପରି ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, କଟକ, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.