ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୮ ତାରିଖରୁ ବଢ଼ିବ ତାତି

Published By : Prameya-News7 Bureau | May 11, 2024 IST

ଭୁବନେଶ୍ୱର: ଆନ୍ଧ୍ର ଉପକୂଳରୁ ସାମୁଦ୍ରିକ ପବନ ଆସୁଥିବାରୁ ରାଜ୍ୟରେ କମିଛି ଗ୍ରୀଷ୍ମ ପ୍ରବାହ । ଦକ୍ଷିଣ, ପୂର୍ବରୁ ମଧ୍ୟ ବହୁଛି ପବନ ।  ୧୮ ତାରିଖ ଯାଏଁ ଏଭଳି ପାଗ ରହିବ । ଉପକୂଳ ଅଞ୍ଚଳରେ ୩୨ରୁ ୩୬ ଡିଗ୍ରୀ ଯାଏଁ ରହିବ ତାପମାତ୍ରା । ୧୮ ତାରିଖରୁ ବଢ଼ିବ ତାପମାତ୍ରା । ରାଜ୍ୟ ଉପରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହୁଥିବାରୁ ୨ରୁ ୪ ଡିଗ୍ରୀ କମିଛି ତାପମାତ୍ରା । ଦିନ ଦୁଇଟା ଯାଏଁ ଗ୍ରୀଷ୍ମ ରହିଲେ ମଧ୍ୟ କାଳବୈଶାଖୀ ପ୍ରଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଆକାଶ ମେଘାଛନ୍ନ ରହୁଛି । 

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ରାଜନଗର ରେ ସର୍ବାଧିକ ୧୦୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ବର୍ଷା ହୋଇଛି । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ,ଅନୁଗୁଳ, ଢେଙ୍କାନାଳ,କେନ୍ଦ୍ରାପଡ଼ା ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ୧୪ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ନୂଆପଡାରେ ସର୍ବାଧିକ ୪୨.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ପବନ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ରହୁଥିବା ଯୋଗୁଁ ତାପମାତ୍ରାରେ ପରିବର୍ତନ ହୋଇଥିବା ସୋଆ ଜଳବାୟୁ କେନ୍ଦ୍ର ନିର୍ଦେଶକ ଶରତ ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.