ଜୟସଓ୍ଵାଲଙ୍କ ବ୍ୟାଟ୍ରୁ ରନ ବର୍ଷା, ଭାଙ୍ଗିଲେ ଧାଓ୍ଵନଙ୍କ ୧୧ ବର୍ଷର ପୁରୁଣା ରେକର୍ଡ
4/03/2023 at 4:45 PM

ନୂଆଦିଲ୍ଲୀ: ବ୍ୟାଟର ଯଶସ୍ଵୀ ଜୟସଓ୍ଵାଲ ଶନିବାର ଇରାନୀ କପ୍ ମ୍ୟାଚ୍ର ଦୁଇ ଇନିଂସରେ ଶତକ ଏବଂ ଦ୍ଵିଶତକ ହାସଲ କରିବାରେ ପ୍ରଥମ ବ୍ୟାଟର ହେବାର ଉପଲବ୍ଧି ହାସଲ କରିଛନ୍ତି। ଅବଶିଷ୍ଟ ଭାରତ ପକ୍ଷରୁ ଖେଳୁଥିବା ଜୟସଓ୍ଵାଲ ମଧ୍ୟ ପ୍ରଦେଶ ବିପକ୍ଷ ଦ୍ଵିତୀୟ ଇନିଂସରେ ଶତକ ହାସଲ କରି ଏହି ଉପଲବ୍ଧି ହାସଲ କରିଛି। ଜୟସଓ୍ଵାଲ ପ୍ରଥମ ଇନିଂସରେ ୨୫୯ ବଲ୍ରେ ୩୦ ଚୌକା ଏବଂ ୩ ଛକା ସହ ୨୧୩ ରନର ଦମଦାର ଇନିଂସ ଖେଳିଥିଲେ। ଏବେ ମ୍ୟାଚ୍ର ଚତୁର୍ଥ ଦିନରେ ଦ୍ଵିତୀୟ ଇନିଂସରେ ୧୪୪ ରନର ଶତକୀୟ ଇନିଂସ ଖେଳିଛନ୍ତି।
ଗୋଟିଏ ପଟେ ମଧ୍ୟ ପ୍ରଦେଶର ବୋଲର ଚତୁର୍ଥ ଦିନର ପ୍ରଥମ ସେସନରେ ଦମଦାର ପ୍ରଦର୍ଶନ କରି ପାଞ୍ଚ ଓଭର ଭିତରେ ୪ ଓ୍ଵିକେଟ୍ ନେଇଥିବା ବେଳେ ଅନ୍ୟପଟେ ଜୟସଓ୍ଵାଲ ଦିନିକିଆ ଷ୍ଟାଇଲ୍ରେ ବ୍ୟାଟିଂ କରି ୧୦୪ ବଲ୍ରେ ନିଜର ଶତକ ପୂରଣ କରିଛନ୍ତି। ଏଥିସହ ସେ ଗୋଟିଏ ଇରାନୀ ସଂସ୍କରଣରେ ଶିଖର ଧାଓ୍ଵନ(୨୦୧୨-୧୩, ୩୩୨ ରନ)ଙ୍କୁ ପଛରେ ପକାଇ ସର୍ବାଧିକ ରନହାସଲକାରୀ ବ୍ୟାଟର ହୋଇଛନ୍ତି। ଧାଓ୍ଵନ ୨୦୧୨ରେ ୩୩୨ ରନ କରିଥିଲେ। ଜୟସଓ୍ଵାଲ ଇରାନୀ କପ୍ର ଗୋଟିଏ ମ୍ୟାଚ୍ରେ ୩୦୦ରୁ ଅଧିକ ରନକରିବାରେ ଦ୍ଵିତୀୟ ଖେଳାଳି ହୋଇଛନ୍ତି। ଜାରି ରହିଥିବା ଇରାନୀ କପ୍ରେ ସେ ୩୫୭ ରନ କରିଛନ୍ତି।
ଘରୋଇ କ୍ରିକେଟ୍ରେ ମୁମ୍ବାଇ ପାଇଁ ଖେଳୁଥିବା ଜୟସଓ୍ଵାଲ ୨୦୨୨-୨୩ ସିଜିନ୍ ଆରମ୍ଭରୁ ଲାଲ ବଲ୍ କ୍ରିକେଟ୍ରେ ଦମଦାର ଫର୍ମରେ ରହିଛନ୍ତି। ସେ ଗତ ଦୁଲିପ୍ ଟ୍ରଫିରେ ପଶ୍ଚିମାଞ୍ଚଳ ପକ୍ଷରୁ ପଦାର୍ପଣ କରି ପୂର୍ବାଞ୍ଚଳ ବିପକ୍ଷରେ ୨୨୭ ରନର ଦ୍ଵିଶତକୀୟ ଇନିଂସ ଖେଳିଥିଲେ। ବାମହାତୀ ଏହି ବ୍ୟାଟର ୨୦୨୨ରେ କକ୍ସ ବଜାରରେ ବାଂଲାଦେଶ ବିପକ୍ଷରେ ଭାରତ ଏ ତରଫରୁ ୧୪୬ ରନର ଶତକୀୟ ଇନିଂସ ଖେଳିଥିଲେ।