ଅନ୍ତିମ ଓଭରରେ ୟସ୍ ହିରୋ; ଆରସିବିରେ ଶାନ୍ତ ପଡ଼ିଲା ଗୁଜରାଟ୍ ଟାଇସନ୍ସ ଜ୍ବାଳା

Published By : Prameya-News7 Bureau | May 19, 2024 IST

ବେଙ୍ଗାଲୁରୁ: ପ୍ଲେ-ଅଫରେ ଚ୍ୟାଲେଞ୍ଜର୍ସର ରୟାଲ ଏଣ୍ଟ୍ରି । ଶେଷ ଓଭରରେ ରୋମାଞ୍ଚକର ବିଜୟ । ୨୭ ରନରେ ୟେଲୋ ଆର୍ମି ପରାସ୍ତ । ୬ ବଲରେ ଓଲଟିଲା ବାଜି, ସିଏସକେ ବିଦା । ୟସ୍ ଦୟାଲ୍ ହିରୋ ଅଫ୍ ଦି ମ୍ୟାଚ୍ । ପୁଣି ଥରେ ଅନ୍ତିମ ଓଭର, ପୁଣି ୟସ୍ ଦୟାଲ । ଆଉ ପରାଜୟ ନୁହେଁ ବଡ଼ ବିଜୟ । ଶେଷ ଓଭରରେ ଗୁଜରାଟ ଟାଇଟନ୍ସ ପାଇଁ ୫ ଛକା ଖାଇଥିବା ୟସ୍ ସିଏସକେ ବିରୋଧରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ମାହିଙ୍କୁ ମାତ୍ ଦେଇ ଆରସିବିକୁ ପ୍ଲେ-ଅଫରେ ରୟାଲ ଏଣ୍ଟ୍ରି କରାଇଛନ୍ତି । ୬ ବଲରେ ମାତ୍ର ୭ ରନ୍ ଦେଇ ଓଲଟାଇ ଦେଇଛନ୍ତି ବାଜି । 

ସେନସେସନ ଶନିବାରରେ ଆଇପିଏଲରେ ଦେଖିବାକୁ ମିଳିଛି ମହାଲଢ଼େଇ । ୧୮ ରନର ବିଜୟକୁ ପିଛା କରି ୨୭ରନରେ ବଡ଼ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଚିନ୍ନସ୍ବାମୀ ଷ୍ଟାଡିୟମରେ ଆରସିବି ପ୍ରଥମେ ବ୍ୟାଟିଂ କରିଥିଲା । ଆଉ ବର୍ଷା ସତ୍ତ୍ବେ ସିଏସକେକୁ ୨୧୯ ରନର ଟାର୍ଗେଟ୍ ଦେଇଥିଲା । ଦଳ ପକ୍ଷରୁ ଲଢ଼ୁଆ ବ୍ୟାଟିଂ କରିଥିଲେ ବିରାଟ୍, ଫାଫ୍ ଓ ପାଟିଦାର । ସେପଟେ ଟର୍ଣ୍ଣ ପିଚ୍‌ରେ ବିଶାଳ ଟାର୍ଗେଟକୁ ପିଛା କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ହେଲେ ପାଓ୍ବାର ପ୍ଲେରେ ପାଓ୍ବାର ପ୍ୟାକେଜ୍ ଦେଖାଇଥିଲା ବେଙ୍ଗାଲୁରୁ । ପ୍ରଥମ ଓଭରରେ ପ୍ରାରମ୍ଭିକ ଝଟକା ଦେଇଥିଲେ ମ୍ୟାକ୍ସି । ସ୍ପିନରେ ଋତୁରାଜଙ୍କୁ ଡକ୍ ଆଉଟ୍ କରି ଚକମା ଦେଇଥିଲେ । ଏହା ପରେ ଡାରେଲ ମିଚେଲକୁ ଆଉଟ୍ କରି ଚେନ୍ନାଇକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ ୟସ୍ ଦୟାଲ । ତଥାପି ହାର୍ ମାନି ନଥିଲା ପାଞ୍ଚ ଆଇପିଏଲ ଟ୍ରଫି ଜିତିଥିଲା ସିଏସକେ । ଏମଏସ ଧୋନିଙ୍କ ସହିତ ରବୀନ୍ଦ୍ର ଜାଡେଜା ଶେଷ ଓଭର ଯାଏ ଖେଳକୁ ନେଇଥିଲେ । 


ଅନ୍ତିମ ଓଭରରେ ସିଏସକେ ପାଇଁ ଥିଲା ଶେଷ ସୁଯୋଗ । ମ୍ୟାଚ୍ ଜିତିବାକୁ ୩୫ ରନ୍ ଦରକାର ପଡ଼ୁଥିବା ବେଳେ ପ୍ଲେ-ଅଫରେ ଏଣ୍ଟ୍ରି ମାରିବାକୁ ମାତ୍ର ୧୭ ରନର ଆବଶ୍ୟକ ପଡ଼ୁଥିଲା । ଶେଷ ଓଭର ନେଇ ଆସିଥିଲେ ୟସ୍ ଦୟାଲ । ଆଉ ତାଙ୍କ ସମ୍ନାରେ ଥିଲେ ବେଷ୍ଟ ଫିନିସର ଏମଏସ ଧୋନି । ପ୍ରଥମ ବଲ୍ ରେ ଛକା ଖାଇଥିଲେ ମଧ୍ୟ କମ୍‌ବ୍ୟାକ୍ କରି ଧୋନିଙ୍କୁ ଆଉଟ୍ କରିଥିଲେ ୟସ୍  । ଅନ୍ତିମ ୫ଟି ବଲରେ ମାତ୍ର ୧ ରନ୍ ଦେଇ ଦଳକୁ ବିଜୟ ସହିତ ଆଇପିଏଲ-୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଫ୍ଲେ-ଅଫରେ ପ୍ରବେଶ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।  ଦଳ ୨୭ ରନରେ ମ୍ୟାଚ୍ ଜିତି କ୍ବାଲିଫାଏ କରିଥିବା ବେଳେ ୟସ୍‌ଙ୍କ ପଛରେ ଲାଗିଥିବା ୫ ଛକାର ଟ୍ୟାଗକୁ ନିଜେ ହଟାଇ ଦେଇଛନ୍ତି ଦୟାଲ୍ । 

  • IPL
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.