ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବିଜେପିକୁ ବଡ ଝଟକା: ମାନବେନ୍ଦ୍ର ସିଂ ସପରିବାର କଂଗ୍ରେସ ମୁହାଁ

Published By : Prameya-News7 Bureau | October 17, 2018 IST

ନୂଆଦିଲ୍ଲୀ ୧୭|୧୦: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଧରଣର ଝଟକା ଲାଗିଛି । ବିଜେପିର ସଂସ୍ଥାପକ ସଦସ୍ୟ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଯଶବନ୍ତ ସିଂଙ୍କ ପରିବାର କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି | ଯଶବନ୍ତ ସିଂଙ୍କ ପୁଅ ମାନବେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି | ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଲ୍ଲୀରେ ମାନବେନ୍ଦ୍ର ସିଂ, ତାଙ୍କ ପତ୍ନୀ ଚିତ୍ରା ସିଂ, ଜୀବନ୍ତ ସିଂଙ୍କ ଅନ୍ୟ ପୁଅ ଭୁପେନ୍ଦ୍ର ସିଂ ଏବଂ ଯଶବନ୍ତ ସିଂଙ୍କ ପତ୍ନୀ ଶୀତଲ କବର ପ୍ରମୁଖ ଆଜି କଂଗ୍ରେସରେ ଯୋଗଦେବେ | ଏହି ଅବସରରେ କଂଗ୍ରେସର ମହାସଚିବ ଅଶୋକ ଗେହଲଟ ଏବଂ ରାଜସ୍ଥାନ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ସଚିନ ପାଇଲଟ ମଧ୍ୟ ଉପସ୍ଥିତ ରହିବେ | ସୂଚନାଯୋଗ୍ୟ ଯେ, ଗତମାସରେ ବାଡ଼ମେରରେ ହୋଇଥିବା ସ୍ୱାଭିମାନ ରାଲିରେ ମାନବେନ୍ଦ୍ର ସିଂ କହିଥିଲେ ' ଏକ ହି ଭୁଲ କମଲ କା ଫୁଲ' ନର ଦେଇ ବିଜେପି ଛାଡିଥିଲେ | ସେବେଠାରୁ ଆଶଙ୍କା କରାଯାଉଥିଲା ଯେ, ମାନବେନ୍ଦ୍ର ସିଂ କଂଗ୍ରେସରେ ସାମିଲ ହୋଇପାରନ୍ତି | କିନ୍ତୁ ଏବେ ସେ ନିଜେ ଏହା ସୂଚନା ଦେଇଛନ୍ତି ଯେ ତାଙ୍କର ପୁରା ପରିବାର କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି | ବାଡ଼ମେରର କଂଗ୍ରେସ ନେତାମାନେ ମଧ୍ୟ ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି | ତେବେ କଂଗ୍ରେସ ସଚିବ ହରିଶ ଚୌଧୁରୀ କହିଛନ୍ତି ଯେ, ମାନବେନ୍ଦ୍ର କଂଗ୍ରେସରେ ସାମିଲ ହେଲେ ଦଳ ଆହୁରି ମଜବୁତ ହେବ | ଶୁଣିବାକୁ ମିଳୁଛି ଯେ, କଂଗ୍ରେସ ଅଭିମାନ କରିଥିବା ରାଜପୁତମାନଙ୍କୁ କଂଗ୍ରେସ ଦଳରେ ସାମିଲ କରେଇବା ପାଇଁ ଚେଷ୍ଟା ଚଳେଇଛି | ବିଜେପି ମଧ୍ୟ ପଛରେ ନାହିଁ | ପାରମ୍ପରିକ ଭୋଟର ଜାଠ୍‌ମାନଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ବିଜେପି ମଧ୍ୟ ଚେଷ୍ଟା କରୁଛି | ଏପଟେ କଂଗ୍ରେସ ମଧ୍ୟ ନିଜ ଜାଠ୍‌ ନେତାମାନଙ୍କୁ ଭରସା ଯୁଟାଇ ରାଜପତମାନଙ୍କୁ ନିଜ ଦଳରେ ସାମିଲ କରେଇବା ପାଇଁ ରାଜନୀତି ଚଳେଇଛି | ଯଶବନ୍ତ ସିଂ ପୂର୍ବରୁ ବାଡ଼ମେର ଲୋକସଭା ସାଂସଦ ଥିଲେ | ତେବେ ଗତଥର ବିଜେପି ତାଙ୍କୁ ଟିକେଟ ନଦେବାରୁ ସେ ନିଜ ଦଳ ତରଫରୁ ନିର୍ବାଚନ ଲଢ଼ିଥିଲେ | କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା | ସେ ନିର୍ବାଚନରେ ହାରିଯାଇଥିଲେ | ଗତ ୫ ବର୍ଷ ହେଲା ରାଜସ୍ଥାନରେ ବିଜେପି ସରକାର ଶାସନ କରୁଛି | ବସୁନ୍ଧରା ରାଜେ ସିନ୍ଧିଆ ଗତ ୨୦୧୩ ମସିହା ଡିସେମ୍ବର ୧୩ ତାରିଖରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଛନ୍ତି | ତେବେ ନିର୍ବାଚନ କମିଶନ ରାଜସ୍ଥାନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି | ୨୦୧୮ ମସିହା ନଭେମ୍ବର ୧୯ ତାରିଖରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ ଏବଂ ଭୋଟ ଗଣତି ଡିସେମ୍ବର ୧୧ ତାରିଖରେ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଥିଲେ | ତେବେ ଆସନ୍ତା ରାଜସ୍ଥାନ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି | ତେବେ ଦେଖିବାକୁ ବାକି ରହିଲା ଗତ ୫ ବର୍ଷ ଧରି ରାଜସ୍ଥାନରେ ରାଜତ୍ୱ କରୁଥିବା ବିଜେପି ବିଜୟୀ ହେବ ନା ବିଜୟୀ ଆଶା ରଖିଥିବା କଂଗ୍ରେସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.