ଲୋକଙ୍କୁ ନଦୀ ପାର କରାଉଛନ୍ତି ‘ଯମରାଜ’...

Published By : Prameya-News7 Bureau | September 06, 2020 IST

ପିଥୋରଗଡ଼ ୦୬।୦୯: ପୌରାଣିକ ମାନ୍ୟତା ଅନୁସାରେ ଯମରାଜଙ୍କୁ ମୃତ୍ୟୁର ଦେବତା ବୋଲି ମନେ କରାଯାଏ। ହେଲେ ଏଠାରେ ଆମେ ଯେଉଁ ଯମରାଜଙ୍କ କଥା କହୁଛୁ ସେ ବର୍ଷା ଦିନରେ ଲୋକଙ୍କୁ ନଦୀ ପାର କରିବାରେ ସହାୟତା କରି ସେମାନଙ୍କ ଜୀବନ ବଞ୍ଚାଉଛନ୍ତି।

ସେ ହେଲେ ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲ୍ଲା ଧରଚୂଲା ଖୁରତୋଲି ଗ୍ରାମର ନିବାସୀ ଦିୱାନୀ ରାମ ‘ଯମରାଜ’ । ବୟସ ୫୦ ବର୍ଷ । ମୌସୁମୀ ସମୟରେ ଲୋକଙ୍କୁ ପିଠିରେ ବୋହି ସେ ଜୌଲିଗଡ଼ ନଦୀ ଏବଂ ପ୍ରାକୃତିକ କେନାଲ ପ୍ରଭୃତି ପାର କରାଇଥାନ୍ତି । ଏଥିଲାଗି ମାତ୍ର ୨୦ ଟଙ୍କା ନେଇଥାନ୍ତି । ଏ ସଂପର୍କରେ ରାମ କହିଛନ୍ତି, ‘ ମୋ’ ବାପା ମୋତେ ଜୀବନରେ କିଛି ଭଲ କାମ କରିବାକୁ କହିଥିଲେ । ସେ ମୋତେ ଲୋକଙ୍କୁ ପିଠିରେ ବୋହି କିପରି ନଈ କିମ୍ବା ଛୋଟ କେନାଲ ପାର କରିହେବ ତାହା ଶିଖାଇଥିଲେ ।

ସେହିପରି ପିଲାଦିନେ ମୋ’ର ମା’ ମରିଯାଇଥିବାରୁ ଗ୍ରାମବାସୀ ମୋର ଖୁବ୍‌ ଯତ୍ନ ନେଇଥିଲେ । ସେମାନଙ୍କ ଋଣ ପରିଶୋଧ କରିବା ଲାଗି ମୁଁ ଏହି କାମ କରୁଛି । ’ ମୌସୁମୀ ସମୟରେ ଜୌଲିଗଡ଼ ନଦୀରେ ପାଣି କମ୍‌ ଥିଲେ ଡଙ୍ଗା ଚଳାଇବା ସମ୍ଭବପର ହୋଇନଥାଏ । ପୁଣି କାର୍ଯ୍ୟକ୍ଷେତ୍ରକୁ ଯିବାଲାଗି ଧରଚୂଲା ଏବଂ ମୁନ୍‌ସିୟାରି ସହରର ଲୋକଙ୍କ ନିକଟରେ ଏହାକୁ ପାର ହେବା ଛଡ଼ା ଅନ୍ୟ ବିକଳ୍ପ ନଥାଏ ।

ଏପରିସ୍ଥଳେ ଲୋକଙ୍କ ପାଇଁ ରାମ ଦେବଦୂତ ସାଜିଥାନ୍ତି । ସେ ଲୋକଙ୍କୁ କାନ୍ଧରେ ବସାଇ ସୁଅ କାଟି ନଦୀ ପାର କରାଇଥାନ୍ତି । ଧରଚୂଲାର ବର୍ତ୍ତମାନର ବିଧାୟକ ହରିଶ ଧାମି, ବହୁ ସଂଖ୍ୟକ ସ୍କୁଲ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେ ନଦୀ ପାର କରାଇଛନ୍ତି । ବର୍ଷା ଦିନ ଶେଷ ହେବା ପରେ ସେ ଏବଂ ତାଙ୍କ ପରିବାର ଲୋକେ ଚାଷ କାମରେ ବ୍ୟସ୍ତ ରହନ୍ତି । ତେବେ ତାଙ୍କୁ କିଭଳି ‘ଯମରାଜ’ ଆଖ୍ୟା ମିଳିଲା ତା’ ପଛରେ ଏକ କାହାଣୀ ରହିଛି ।

ଏକଦା ସେ ନଦୀ ମଝିରେ ଫସିଯାଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହାଦେଖି ଲୋକେ ତାଙ୍କୁ ‘ଯମରାଜ’ଙ୍କ ଫାଶରୁ ମହିଳାଙ୍କୁ ଉଦ୍ଧାର କରିଥିବା କଥା କହିଲେ । ସେବେଠାରୁ ତାଙ୍କୁ ‘ଯମରାଜ’ ନାମ ମିଳିଲା । ନଦୀରେ ପୋଲ ହେବା ଯାଏ ସେ ତାଙ୍କ କାମ ଜାରି ରଖିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.