ହିଜାବ ବିବାଦ: କର୍ଣ୍ଣାଟକ ମୁଖ୍ୟ ବିଚାରପତିଙ୍କୁ ହତ୍ୟା ଧମକ, ମିଳିଲା Y କାଟାଗୋରୀ ସୁରକ୍ଷା

Published By : Prameya-News7 Bureau | March 20, 2022 IST

ବେଙ୍ଗାଲୁରୁ ୨୦।୦୩: ହିଜାବ ବିବାଦରେ ରାୟ ଶୁଣାଇଥିବା ଜଜଙ୍କୁ ମିଳିଲା ହତ୍ୟା ଧମକ। ଏଥିରେ  ହାଇକୋର୍ଟର ମୁଖ୍ୟ ବିଚାରପତି ଋତୁରାଜ ଅବସ୍ଥି ମଧ୍ୟ ସାମିଲ୍। କର୍ଣ୍ଣାଟକ ହାଇକୋର୍ଟର ଓକିଲ ଉମାପତିଙ୍କୁ ସାମାଜିକ ଗଣମାଧ୍ୟମରେ ଏକ ଧମକପୂର୍ଣ୍ଣ ଭିଡିଓ ମିଳିଛି। ଏଥିରେ କୁହାଯାଇଥିଲା ଯେ, ଆମେ ଜାଣିଛୁ ମୁଖ୍ୟ ବିଚାରପତି ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂ ଓ୍ଵାକରେ କେଉଁଆଡେ ଯାଆନ୍ତି। ଓକିଲ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଏହାର ସୂଚନା ଦେଇଛନ୍ତି। ଏହା ପରେ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି।

ଧମକକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ହାଇକୋର୍ଟର ଜଜଙ୍କୁ ଓ୍ଵାଇ କାଟାଗୋରୀ ସୁରକ୍ଷା ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ହିଜାବ ଉପରେ ରାୟ ଶୁଣାଇଥିବା ସମସ୍ତ ତିନି ଜଜଙ୍କୁ ଓ୍ଵାଇ କାଟାଗୋରୀ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆଇଜିକୁ ମାମଲା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରଜିଷ୍ଟ୍ରାରଙ୍କୁ ଲେଖିଥିବା ଚିଠିରେ ଓକିଲ ଉମାପତି କହିଛନ୍ତି, ମୋତେ ସକାଳ ପ୍ରାୟ ୯ଟା ୪୫ ମିନିଟ୍‌ରେ ହ୍ଵାଟ୍ସଆପ୍‌ରେ ଏକ ତାମିଲ ଭାଷାରେ ଭିଡିଓ ମିଳିଥିଲା। ଭିଡିଓରେ ହିଜାବ ବିବାଦ ଉପରେ ନିଷ୍ପତ୍ତି ଶୁଣାଇଥିବା ଜଜ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଛିହି ଭିଡିଓ ତାମିଲନାଡୁର ହୋଇଥିବା ଓକିଲ ଅଭିଯୋଗ କରିଛନ୍ତି। ଭିଡିଓ ବ୍ୟାକଗ୍ରାଉଣ୍ଡରେ ଝାଡଖଣ୍ଡରେ ହୋଇଥିବା ଜଜଙ୍କ ହତ୍ୟା ବିଷୟରେ ମଧ୍ୟ କୁହାଯାଉଥିବା ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ହିଜାବ ବିବାଦ ଉପରେ ରାୟ ଶୁଣାଇ କହିଥିଲେ, ଇସଲାମରେ ହିଜାବ ପିନ୍ଧିବା ଏକ ଅନିବାର୍ଯ୍ୟ ପ୍ରଥା ନୁହେଁ। ଏହା ଇସଲାମର ଅଭିନ୍ନ ଅଙ୍ଗ ନୁହେଁ। ତେଣୁ ଛାତ୍ରୀମାନେ ସ୍କୁଲ ଏବଂ କଲେଜ୍‌ରେ ହିଜାବ ପିନ୍ଧିବାକୁ ଦାବି କରି ପାରିବେ ନାହିଁ। ୟୁନିଫର୍ମ ନିୟମକୁ ବିରୋଧ କରିବାର ଅଧିକାର ସେମାନଙ୍କର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.