ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସେନାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଚୀନରେ ଜଣେ ଶୀର୍ଷ ସେନା ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ଅନୁଶାସନ ଉଲ୍ଲଂଘନ ପାଇଁ ଅଧିକାରୀଙ୍କୁ ସସପେଣ୍ଡ କରାଯିବା ସହ ତଦନ୍ତ ପାଇଁ ନିରୀକ୍ଷଣରେ ରଖାଯାଇଛି । ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଆଡ୍ମିରଲ୍ ମିୟାଓ ହୁଆ ଶକ୍ତିଶାଳୀ କେନ୍ଦ୍ରୀୟ ସୈନ୍ୟ ଆୟୋଗ (ସିଏମସି)ର ସଦସ୍ୟ ଅଟନ୍ତି । ଏହି ଆୟୋଗ ସି ଜିନପିଙ୍ଗଙ୍କ ନେତୃତ୍ୱାଧୀନ ଚୀନର ଶୀର୍ଷ ସୈନ୍ୟ ସଂସ୍ଥା ।
ମିୟାଓ ଚୀନ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ । ୧୯୯୦ ମସିହାରୁ ଜିନ୍ପିଙ୍ଗଙ୍କ ସହ ସେ କାମ କରିଆସୁଥିଲେ । ଚୀନ ରାଷ୍ଟ୍ରପତି ଭାବେ ସି ଜିନ୍ପିଙ୍ଗ ନିଜ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରଠୁ ସେନାକୁ ସ୍ୱଚ୍ଛ ରଖିବା ପଇଁ ବ୍ୟାପକ ଅଭିଯାନ ଚଲାଇଛନ୍ତି । ଚୀନର ପିପୁଲ୍ସ ଲିବରେସନ ଆର୍ମିର ଏଲିଟ୍ ରକେଟ୍ ଫୋର୍ସ ଏହି ଅଭିଯାନର କେନ୍ଦ୍ରରେ ରହିଥିଲା । ଏହି ଫୋର୍ସ ଚୀନରେ ନ୍ୟୁକ୍ଲିୟର ଏବଂ ମିସାଇଲର ତଦାରଖ କରେ ।
ଚୀନ ରାଷ୍ଟ୍ରପତିଙ୍କ ଏହି ଅଭିଯାନରେ ସେନାର ଅନେକ ଶୀର୍ଷ ଅଧିକାରୀ ବଳି ପଡ଼ିଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲି' ଶାଙ୍ଗଫୁ ଏବଂ ୱି ଫେନଗେଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି । ଦୁଇ ମନ୍ତ୍ରୀଙ୍କ ବିରୋଧରେ ଏହି ଆକ୍ସନ ସେନାକୁ ଶୃଙ୍ଖଳିତ ଏବଂ ସଶକ୍ତ କରିବା ପାଇଁ ନିଆଯାଇଛି ବୋଲି ସେତେବେଳେ ସରକାର କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ମିୟାଓଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନଙ୍କ ବିରୋଧରେ ଦୁର୍ନୀତି ତଦନ୍ତର ଆଦେଶର ଗୋଟିଏ ଦିନ ପରେ ନିଆଯାଇଛି । ଫାଇନାନ୍ସସିଆଲ୍ ଟାଇମ୍ସର ରିପୋର୍ଟ ଅନୁସାରେ ଡୋଙ୍ଗ ଜୁନ୍ଙ୍କୁ ଦୁର୍ନୀତି ମାମଲାରେ ତଦନ୍ତର ସାମନା କରିବାକୁ ପଡ଼ିଛି ।