କରୋନା ଯୋଗୁଁ ଚୀନ ସ୍ଥିତି ବହୁତ ଖରାପ, ପ୍ରଥମ ଥର ସ୍ବୀକାର କଲେ ସି ଜିନପିଙ୍ଗ୍
1/01/2023 at 10:28 AM

ନୂଆଦିଲ୍ଳୀ, ୦୧/୦୧: ଚୀନରେ କରୋନାର ପ୍ରକୋପ ଜାରି ରହିଛି। ଏଠାରେ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଉର୍ଦ୍ଧ୍ବଗାମୀ ରହିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ଚୀନରେ କରୋନାର ଖରାପ ସ୍ଥିତିକୁ ସ୍ବୀକାର କରିଛନ୍ତି।
ନୂଆବର୍ଷର ସମ୍ବୋଧନ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ପ୍ରଥମ ଥର ସ୍ବୀକାର କରିଛନ୍ତି ଯେ ଦେଶ କୋଭିଡ୍-୧୯ ର ଅତ୍ୟନ୍ତ ଖରାପ ପରିସ୍ଥିତିର ସାମ୍ନା କରୁଛି। ଏହା ପୂର୍ବରୁ କିନ୍ତୁ ଚୀନ ସରକାର କୋଭିଡ ମହାମାରୀ ବିସ୍ଫୋରଣକୁ ସ୍ବୀକାର କରୁନଥିଲେ। ଚୀନ ଲଗାତାର ମୃତ୍ୟୁ ଏବଂ ସଂକ୍ରମଣ ହାର ଲୁଚାଇଆସୁଛି। କିନ୍ତୁ ଶନିବାର ନିଜ ସମ୍ବୋଧନରେ ସି ଜିନ୍ପିଙ୍ଗ୍ ଦେଶରେ କରୋନାର ନୂଆ ଲହର ଆସିଥିବା ଏବଂ ଏହା ଦେଶ ପାଇଁ ବଡ଼ ଚାଲେଞ୍ଜର ପାଲଟିଥିବା କହିଛନ୍ତି।
ଜିନପିଙ୍ଗ୍ କହିଛନ୍ତି ଏହା ଏକ ଅପ୍ରତ୍ୟାଶିତ ସଙ୍କଟ। ଚୀନ ଏହା ଉପରେ କାବୁ କରିବା କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରୁଛି। ପ୍ରଶାସନ, ଡାକ୍ତର ଏବଂ ସାମାଜିକ କର୍ମୀ ସମସ୍ତେ ନିଜ ନିଜ ସ୍ତରରେ ଏହି ମହାମାରୀର ସାମ୍ନା କରୁଛନ୍ତି ତଥା ଏହାକୁ କାବୁ କରିବାକୁ ପ୍ରୟାସ କରୁଛନ୍ତି। ସରକାର ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି।
ଡବ୍ଲୁଏଚଓ ଚୀନକୁ କରୋନାର କୌଣସି ତଥ୍ୟ ନଲୁଚାଇବାକୁ କହିଛି। ସୂଚନା ଅନୁଯାୟୀ ୩ ଜାନୁଆରୀରେ ଚୀନ ଏକ ବୈଠକ ଡକାଇଛି ଯେଉଁଥିରେ ସବୁ ତଥ୍ୟ ସେୟାର କରାଯିବ। ଚୀନରେ ଏପର୍ଯ୍ୟନ୍ତ କେବଳ ୫୨୪୭ କରୋନା ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି। ଯେତେବେଳେକି ସାମ୍ନାକୁ ଆସୁଥିବା ଭିଡିଓରେ ମୃତଦେହର ଲମ୍ବା ଲାଇନ କିଛି ଅଲଗା ସୂଚାଉଛି। କିଛି ଏଜେନ୍ସୀମାନଙ୍କର କହିବା ଅନୁଯାୟୀ, ଚୀନରେ କୋଭିଡରେ ୧୦ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହୋଇଛି।