ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବରରେ ଏଲନ ମସ୍କ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ବିଟର)କୁ କିଣିଥିଲେ। ଏହାପରଠାରୁ ଲଗାତାର ଏହି ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ହୋଇଛି । ବ୍ଲୁ ଟିକ୍ ଭଳି କିଛି ସେବା ପାଇଁ ଦେୟ ଦେବାକୁ ମଧ୍ୟ ପଡ଼ୁଛି। ଏମିତିକି ଏହାର ନାଁକୁ ଟ୍ବିଟରରୁ ଏକ୍ସ ମଧ୍ୟ କରାଯାଇଛି।
ଏହାରି ମଧ୍ୟରେ ପୁଣି ଏକ ନୂଆ ସବସ୍କ୍ରିପସନ ମଡେଲ ଜାରି କରାଯାଇଛି। ଏହା ନୂଆ ମଡେଲ ଅନୁଯାୟୀ, ସାଧାରଣ ସୁବିଧା ପାଇଁ ଏଣିକି ନୂଆ ୟୁଜର୍ସଙ୍କୁ ବାର୍ଷିକ ୧ ଡଲାର ଦେବାକୁ ପଡ଼ିପାରେ। ଏହି ନୂଆ ସବସ୍କ୍ରିପସନ ମଡେଲର ନାଁ ରହିଛି ‘ନଟ୍ ଏ ବଟ୍’। ଏହାର ଉଦ୍ଦେଶ୍ୟ ରହିଛି ବଟ୍ସ ଏବଂ ସ୍ପାମର୍ସଙ୍କୁ ରୋକିବା ।
ଏହି ନୂଆ ମଡେଲ ଅନୁଯାୟୀ, ନୂଆ ୟୁଜର୍ସଙ୍କୁ ପୋଷ୍ଟ ଉପରେ ଲାଇକ୍ କିମ୍ବା ରିପୋଷ୍ଟ କରିବା ପାଇଁ ଦେୟ ଦେବାକୁ ହେବ। କିନ୍ତୁ ଯଦି ସେମାନେ ଏହି ଚାର୍ଜ ନଦେଉଛନ୍ତି ତେବେ ଏମାନେ, ଏକ୍ସରେ କେବଳ ପୋଷ୍ଟ ପଢ଼ିପାରିବେ, ଭିଡିଓ ଦେଖିପାରିବେ ଏବଂ ଫଲୋ କରିପାରିବେ । ତେବେ ଏହା ପ୍ରଥମେ ନ୍ୟୁଜିଲାଣ୍ଡ୍ ଏବଂ ଫିଲିପିନ୍ସରେ ଏହା ପ୍ରାରମ୍ଭିକ ଭାବରେ ଲାଗୁ ହୋଇଛି।
ଆହୁରି ପଢ଼ନ୍ତୁ: ଏଲନ ମସ୍କ ‘X’ ରେ କରିବେ ବଡ଼ ଧରଣର ପରିବର୍ତ୍ତନ, ଏବେ ଲୁଚା ଯିବ ରିପ୍ଲାଇ, ରିଟ୍ୱିଟ୍ ଓ ଲାଇକ୍ ନମ୍ବର
କୁହାଯାଉଛି ଯେ, ଏହି ଶୁଳ୍କ ବିଭିନ୍ନ ଦେଶ ପାଇଁ ଭିନ୍ନ ଭିନ୍ନ ରହିବ। ଯଦି ଏହା ଲାଗୁ ହେଉଛି ତେବେ ଭାରତରେ ସବସ୍କ୍ରିପସନ ମଡେଲ ଲାଗୁ ହେବା ପରେ ଭାରତରେ ଗ୍ରାହକଙ୍କୁ ସବସ୍କ୍ରିପ୍ସନ ଶୁଳ୍କ ଭାବରେ ୮୩.୨୩ ଟଙ୍କା ଦେବାକୁ ପଡ଼ିବ। ଏହା ବ୍ୟତୀତ ଚୀନ୍ରେ ୭.୩୦ ୟୁଆନ, ଜାପାକୁ ୧୪୯.୬୮ ୟେନ, ରୁଷକୁ ୯୭.୫୨ ରୁବଲ ଶୁଳ୍କ ଦେବାକୁ ପଡ଼ିବ।