ନୂଆଦିଲ୍ଲୀ: ଲଣ୍ଡନର ଦ ଓଭାଲ ମୈଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମୁକାବିଲା ଖେଳାଯାଉଛି । ଅଷ୍ଟ୍ରେଲିଆ ଶନିବାର ଭାରତ ସାମନାରେ ୪୪୪ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମ ଇନିଂସରେ ୧୩ ରନରେ ଆଉଟ୍ ହୋଇଥିବା ଶୁଭମନ ଦ୍ୱିତୀୟ ଇନିଂସରେ ଭଲ ଲୟରେ ନଜର ଆସୁଥିଲେ । କିନ୍ତୁ ୧୮ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ । ସ୍କଟ ବୋଲାଣ୍ଡଙ୍କ ବୋଲରେ କ୍ୟାମରନ ଗ୍ରୀନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଗିଲ୍ । ତେବେ ଗିଲଙ୍କ କ୍ୟାଚ୍ ଆଉଟକୁ ନେଇ ଏବେ ବିବାଦ ହୋଇଛି । ଗିଲଙ୍କ ଆଉଟ୍ ଦିଆଯିବା ଉପରେ ରୋହିତ୍ ଶର୍ମା ଅସନ୍ତୋଷ ଜାହିର କରିଥିଲେ । ପୂର୍ବତନ ସ୍ପିନର ହରଭଜନ ସିଂହ ମଧ୍ୟ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
{"id":801465,"sizeSlug":"full","linkDestination":"none"}
ଉଲ୍ଲେଖଯୋଗ୍ୟ ଯେ ଇନିଂସର ଅଷ୍ଟମ ଓଭରର ପ୍ରଥମ ବଲରେ ଗିଲ୍ ବ୍ୟାଟରେ ବଲ ବାଜି ଗଲିରେ ଥିବା ଗ୍ରୀନଙ୍କ ଆଡକୁ ଯାଇଥିଲା । ଗ୍ରୀନ ନିଜ ବାମ ଆଡକୁ ଡେଇଁ ବଲକୁ ଧରିବା ସହ ସେଲିବ୍ରେସନ କରିଥିଲେ । ଏହାପରେ, ଥର୍ଡ ଅମ୍ପାୟରଙ୍କୁ ଆଉଟ୍ ଚେକ୍ ପାଇଁ ରେଫର କରାଯାଇଥିଲା । ରିପ୍ଲେରେ ସ୍ପଷ୍ଟ ରୂପେ ଦେଖାଯାଉଛି ଯେ କ୍ଲିନ କ୍ୟାଚ୍ ନଥିଲା । ଗୋଟିଏ ଫ୍ରେମରେ ବଲ ମାଟିରେ ଲାଗୁଥିବା ମଧ୍ୟ ନଜର ଆସୁଥିଲା । ତେବେ ବିଗ୍ ସ୍କ୍ରିନରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଗିଲଙ୍କୁ ଆଉଟ୍ ଦିଆଯାଇଥିଲା ।
ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତିରେ ଗିଲଙ୍କ ସହ ରୋହିତ୍ ମଧ୍ୟ ଅସନ୍ତୁଷ୍ଟ ନଜର ଆସିଲେ । ମୈଦାନରେ ଅମ୍ପାୟରଙ୍କ ସହ ରୋହିତ ଶର୍ମା କଥା ମଧ୍ୟ ହୋଇଥିଲେ, କିନ୍ତୁ କୌଣସି ଲାଭ ହୋଇ ନଥିଲା । ଅନ୍ୟପଟେ ମ୍ୟାଚରେ କମେଣ୍ଟ୍ରି କରୁଥିବା ହରଭଜନ ସିଂ ମଧ୍ୟ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅମ୍ପାୟର ଟେକ୍ନୋଲଜିର ସାହାଯ୍ୟ ନେଇ ଭଲ ଭାବେ ଦେଖିବାର ଥିଲା ବୋଲି ହରଭଜନ କହିଛନ୍ତି ।