ରାଜଭବନରେ କୂଳପତି ପଦବୀ ଲାଗି ଲିଖିତ ପରୀକ୍ଷା, ୬ଟି ବିଶ୍ୱବିଦ୍ୟାଳୟ ପାଇଁ ଆବେଦନ କରିଛନ୍ତି ୧୬ଜଣ ଶିକ୍ଷାବିତ

Published By : Prameya-News7 Bureau | November 28, 2020 IST

ଭୁବନେଶ୍ୱର,୨୮/୧୧:   ରାଜ୍ୟ ସରକାର ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନରେ ସଂଶୋଧନ କରିଛନ୍ତି । ଏବେ ରାଜ୍ୟରେ ଥିବା ବିଭିନ୍ନ ବିଶ୍ୱ ବିଦ୍ୟାଳୟ ପାଇଁ କୂଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୂଳପତି ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ରାଜଭବନରେ ଏକ ଲିଖିତ ପରୀକ୍ଷା ଦେବାକୁ କୁହାଯାଇଥିଲା ।  

ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ସମସ୍ତ କୂଳପତି ଆଶାୟୀଙ୍କୁ ଲିଖିତ ପରୀକ୍ଷା ବାବଦରେ ସୂଚନା ଦେଇଥିଲେ । ରାଜଭବନରେ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା ସମସ୍ତ ଆଶାୟୀଙ୍କୁ ଗୋଟିଏ ପେପର ଓ ଚାରୋଟି ପ୍ରଶ୍ନ ଦେଇଥିଲେ । ପରୀକ୍ଷାର ଅବଧି ଥିଲା ୪୫ ମିନିଟ୍ । ପରୀକ୍ଷା ସମୟରେ ପ୍ରକୋଷ୍ଠରେ ୩ଜଣ ଅଧିକାରୀ ଉପସ୍ଥିତ ଥିଲେ । ଲେଖି ସାରିବା ପରେ ଆଶାୟୀ ପ୍ରାର୍ଥୀମାନେ ଚାଲିଯାଇଥିବା ସୂଚନା ମିଳିଛି ।

ଲିଖିତ ପରୀକ୍ଷା ଦେଇଥିବା ଜଣେ ଅଧ୍ୟାପକ କହିଛନ୍ତି ଯେ, ୪ଟି ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନଗୁଡିକ ଥିଲା ବ୍ରହ୍ମାଣ୍ଡ କିପରି ଗଠନ ହୋଇଛି । ବ୍ରହ୍ମାଣ୍ଡ ଗଠନରେ ବିଶ୍ୱ ବିଦ୍ୟାଳୟର ଭୂମିକା କଣ, କାମ କରିବାର କଳା ଓ ଇଚ୍ଛାଶକ୍ତି କିପରି ହେବା ଉଚିତ । ଆହୁରି ମଧ୍ୟ ଯଦି ଭଗବାନ ସାମ୍ନାକୁ ଆସନ୍ତି ଏବଂ କିଛି ଗୋଟେ ଆପଣଙ୍କୁ ମାଗିବା ପାଇଁ କୁହାଯାଏ ତେବେ ଆପଣ କଣ ମାଗିବେ ।

ପରୀକ୍ଷା ଫଳ ସେହି ଦିନ ସନ୍ଧ୍ୟାରେ ଘୋଷଣା କରାଯାଇଥିଲା । ତେବେ ଏହି ପରୀକ୍ଷାକୁ ଏକ ଜୋକ୍ ବୋଲି କହିଛନ୍ତି ଜଣେ ଆଶାୟୀ ପ୍ରାର୍ଥୀ । କଥାବାର୍ତ୍ତା ବେଳେ ଅଧିକାରୀମାନେ ପରୀକ୍ଷା ସମୟରେ ଚାହିଁ ରହିଥିଲେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ୬ଟି ବିଶ୍ୱ ବିଦ୍ୟାଳୟର କୂଳପତି ପାଇଁ ଆଶାୟୀ ୧୬ଜଣ ବରିଷ୍ଠ ଅଧ୍ୟାପକ ସୋମବାର ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ସାକ୍ଷାତ କରିଥିଲେ । କାରଣ ତାଙ୍କ ପତ୍ନୀ ସୁଶିଳା ଦେବୀଙ୍କ ଦେହାନ୍ତ ପରେ ସେ ଆଉ ପ୍ରାର୍ଥୀଙ୍କୁ ଭେଟିପାରି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.