WFI ଅଧ୍ୟକ୍ଷଙ୍କ ବିରୋଧରେ ଜାରି ରହିଛି କୁସ୍ତିଯୋଦ୍ଧାଙ୍କ ବିକ୍ଷୋଭ: ଶୁକ୍ରବାର ଦ୍ବିତୀୟ ଦିନରେ ହେବ ଆଲୋଚନା
20/01/2023 at 7:57 AM

ନୂଆଦିଲ୍ଲୀ, ୨୦/୦୧: ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ କୁସ୍ତି ସଂଘ ବିରୋଧରେ ଅସନ୍ତୋଷ ପ୍ରକାଶ କରୁଥିବା କୁସ୍ତିଯୋଦ୍ଧା ଏବଂ ସରକାରଙ୍କ ମଧ୍ୟରେ ଶୁକ୍ରବାର ଦ୍ବିତୀୟ ଦିନରେ ଆଲୋଚନା ହେବ। ଗୁରୁବାର ଖେଳାଳିମାନେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାସଭବନରେ ସାକ୍ଷାତକାର କରିଥିଲେ। କୁହାଯାଉଛି ସରକାରଙ୍କ ତରଫରୁ ଖେଳାଳିଙ୍କୁ କାର୍ଯ୍ୟାନୁଷ୍ଠାନ ନେଇ ଆଶ୍ବସନା ଦେଇଛନ୍ତି। ଓ୍ବାର୍ଲ୍ଡ ଚାମ୍ପିୟନ ବିନେଶ ଫୋଗାଟ, ଅଲିମ୍ପିୟାନ ବଜରଙ୍ଗ ପୁନିଆଙ୍କ ସହ ଅନେକ ବଡ଼ ଖେଳାଳି WFI ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି।
ଗୁରୁବାର ହୋଇଥିବା ବୈଠକକୁ ସୂଚନା ଦିଆଯାଇନଥିଲେ ବି, ଶୁକ୍ରବାର ଉଭୟ ପକ୍ଷ ମଧ୍ୟରେ ଚର୍ଚ୍ଚା ଜାରି ରହିବ। କୁସ୍ତିଯୋଦ୍ଧା ଏବଂ ଖେଳ ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ ସକାଳ ୮ଟାରେ ହେବ। କମନଓ୍ବେଲ୍ଥ ଏବଂ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ବିନେଶ ଫୋଗାଟ କହିଛନ୍ତି ସରକାର ଏହି ମାମଲାରେ ହସ୍ତକ୍ଷେପ କରିବା ଦରକାର।
ମିଡିଆ ରିପୋର୍ଟ ଅନୁଯାୟୀ, WFI କୁ ଏହି ପ୍ରସଙ୍ଗରେ ରିପୋର୍ଟ ମଗାଯାଇଛି। ଏଥିପାଇଁ ଖେଳାଳିଙ୍କୁ ତିନିଦିନ ଅପେକ୍ଷା କରିବାକୁ ମଧ୍ୟ କୁହାଯାଇଛି। ବୁଧବାର କେନ୍ଦ୍ର ସ୍ପଷ୍ଟ କରିଥିଲା ଯେ ଯଦି WFI ତିନି ଦିନ ମଧ୍ୟରେ ଜବାବ ଦେଉନାହିଁ ତେବେ ଖେଳ ମନ୍ତ୍ରାଳୟ WFI ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ବୁଧବାର ଠାରୁ ହିଁ ଜନ୍ତର ମନ୍ତରରେ ଖେଳାଳି କୁସ୍ତି ମହାସଂଘ ବିରୋଧରେ ପ୍ରଦର୍ଶନ କରୁଛନ୍ତି।