ଆଖଡ଼ା ପାଲଟିଛି ଭାରତୀୟ କୁସ୍ତି ମହାସଂଘ, ଧାରଣାରେ ବସିଲେ ମହିଳା ରେସଲର୍
19/01/2023 at 2:19 PM

ନୂଆଦିଲ୍ଲୀ ୧୯/୦୧: ଭାରତୀୟ କୁସ୍ତି ମହାସଂଘ- WFI ଏବେ ପାଲଟିଯାଇଛି ଆଖଡ଼ା । ଧାରଣାରେ ବସିଲେ ମହିଳା ରେସଲର୍ । ଦିଲ୍ଲୀ ଜନ୍ତରମନ୍ତରରେ ମହିଳା ରେସଲର୍ ଙ୍କ ସହ ଧାରଣାରେ ବସିଲେ ପୁରୁଷ ରେସଲର୍ । କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହ ଏବଂ କେତେକ କୋଚ୍ ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ମହିଳା ରେସଲର୍ ।
ଏହାସହିତ ମହାସଂଘର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରେସଲର୍ ମାନେ । ବଡ଼ କଥା ହେଉଛି ଭାରତୀୟ କୁସ୍ତି ମହାସଂଘ- WFI ସଭାପତି ବ୍ରିଜଭୂଷଣ ଶରଣ ସିଂହ ଜଣେ ବିଜେପି ସାଂସଦ। ଆଜି ସକାଳୁ ଧାରଣାରେ ଭିନେଶ୍ ଫୋଗଟ୍ , ସାକ୍ଷୀ ମଲ୍ଲିକ୍, ଅଂଶୁ ମଲ୍ଲିକ, ବଜରଙ୍ଗ ପୁନିଆ, ରବି ଦାହିୟା ପ୍ରମୁଖ ସାମିଲ ହୋଇଛନ୍ତି।
ଭାରତୀୟ କୁସ୍ତି ସଂଘ WFI ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଧାରଣାରେ ବସିଛନ୍ତି ମହିଳା ରେସଲର୍ । ବ୍ରିଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କୁ ଯୌନ ଶୋଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରି କି ଲକ୍ଷ୍ନୌରେ ଥିବା କ୍ୟାମ୍ପରେ ଅନ୍ୟ କୋଚ୍ ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଛନ୍ତି । ଏହା ପଛରେ WFI ସଭାପତିଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି।
ଏହି ମାମଲାରେ WFI ସଭାପତିଙ୍କ ବହିଷ୍କାର ଦାବି କରିବା ସହ ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମହିଳା ରେସଲର୍ ମାନେ ଦାବି କରିଛନ୍ତି। ଏହି ଘଟଣାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ରେସଲିଂ ପେଡେରେସନ୍ ଅଫ୍ ଇଣ୍ଡିଆ-WFIକୁ ନୋଟିସ ଜାରି କରାଯାଇଛି। ୩ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଦିଲ୍ଲୀ ଜନ୍ତରମନ୍ତରରେ ମହିଳା ରେସଲର୍ ମାନେ ଧାରଣାରେ ବସିଥିବା ବେଳେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦିଲ୍ଲୀ ପୋଲିସ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମାମଲାରେ WFI ସଭାପତିଙ୍କ ଗିରଫ ଦାବି କରିବା ସହ ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦାବି କରିଛନ୍ତି। ଅନ୍ୟପକ୍ଷରେ ବ୍ରିଜଭୂଷଣ ସିଂହ କହିଛନ୍ତି ଯେ ଅଲିମ୍ପିକ୍ସ ପାଇଁ ମହିଳା ରେସଲରମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଉଛି । କିନ୍ତୁ କେତେକ ମହିଳା ରେସଲର ଏଥିପାଇଁ ଟ୍ରାଏଲ୍ ଦେବାକୁ ମନା କରିଦେଇଥିଲେ । ସ୍ୱତନ୍ତ୍ର ଟ୍ରେନିଂ ନନେଲେ ଅଲିମ୍ପିକ୍ସରେ କିଭଳି ମେଡାଲ୍ ଆସିବ ବୋଲି ବ୍ରିଜଭୂଷଣ ସିଂହ ପାଲଟା ପ୍ରଶ୍ନ କରିଛନ୍ତି ।