CWG 2022: କୁସ୍ତିରେ ଭାରତର ମେଡାଲ ବର୍ଷା, ଫାଇନାଲ୍‌ରେ ୪ ଜଣଙ୍କ ସ୍ଥାନ ପକ୍କା, ଦୀପକ ପୁନିଆଙ୍କ ସହ ସାଖି ବି କଲେ କମାଲ୍

Published By : Prameya-News7 Bureau | August 05, 2022 IST

ବରମିଙ୍ଘମ: ଇଂଲଣ୍ଡର ବରମିଙ୍ଘମରେ ଆୟୋଜିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର କୁସ୍ତି ଯୋଦ୍ଧାଙ୍କର ମେଡାଲ ବର୍ଷା। ଫାଇନାଲ୍‌ରେ ସ୍ଥାନ ପକ୍କା କଲେ ଭାରତୀୟ ଷ୍ଟାର୍‌ ରେସଲର ବଜରଙ୍ଗ ପୁନିଆ। ଅର୍ଥାତ୍ ଭାରତକୁ ରୌପ୍ୟ ପଦକ ପକ୍କା ହେଲା।  ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୂର୍ବରୁ ମେଡାଲ ଜିତି ସାରିଥିବା ପୁନିଆ ଏଥର ଗୋଲ୍ଡ ମେଡାଲ୍ ପାଇଁ ଫାଇନାଲ୍‌ରେ ଲଢ଼େଇ କରିବେ। ଆଜି ଶୁକ୍ରବାର (ଅଗଷ୍ଟ ୫) ବରମିଙ୍ଘମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ବଜରଙ୍ଗ ପୁନିଆ ୬୫ କିଗ୍ରା ବର୍ଗରେ ଇଂଲଣ୍ଡର ଜର୍ଜ ରାମଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ରାମଙ୍କୁ ୧୦-୦ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ଟୋକିଓ ଅଲିମ୍ପିକରେ ବଜରଙ୍ଗ ପୁନିଆ କାଂସ୍ୟା ପଦକ ଜିତିଥିଲେ।

ଅନ୍ୟପଟେ ସାକ୍ଷୀ ମଲ୍ଲିକ ମଧ୍ୟ ୬୨ କିଗ୍ରା ବର୍ଗର ସେମିଫାଇନାଲ ମ୍ୟାଚ୍‌ରେ କ୍ୟାମରୁନ ବର୍ଥ ଏମିଲିଏନଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସାକ୍ଷୀ ପୂର୍ବରୁ ୨୦୧୬ରେ ରିଓ ଅଲିମ୍ପିକରେ କାଂସ୍ୟା ପଦକ ଜିତି ସାରିଛନ୍ତି। ହେଲେ ସେ ଦୀର୍ଘ ଦିନ ଧରି କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଜିତି ନପାରିବାରୁ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ। କିନ୍ତୁ ପରେ ମନୋବୈଜ୍ଞାନିକ ଚିକିତ୍ସକଙ୍କ ପରାମର୍ଶରେ ନିଜ ପ୍ରଦର୍ଶନରେ ସୁଧାର ଆଣି ୬୨ କିଗ୍ରା ବର୍ଗରେ ସୋନମ ମଲ୍ଲିକ ଓ ମନୀଷଙ୍କୁ ହରାଇ କମନ ୱେଲ୍ଥ ଟିକେଟ୍ ପାଇଥିଲେ। ଏଥିରେ ସେ କମାଲ ଦେଖାଇ ଫାଇନାଲରେ ପ୍ରବେଶ କରିବା ସହ ରୌପ୍ୟ ପଦକ ପକ୍କା କରିଛନ୍ତି।  

ଆଜି କମନୱେଲ୍ଥ ଗେମ୍‌ ୨୦୨୨ର ଅଷ୍ଟମ ଦିନରେ ୬ ଭାରତୀୟ କୁସ୍ତି ଯୋଦ୍ଧା ରଣାଙ୍ଗନକୁ ଓହ୍ଲାଇଥିଲେ। ଏଥିମଧ୍ୟରୁ ୪ ଜଣ- ବଦରଙ୍ଗ ପୁନିଆ, ଦୀପକ ପୁନିଆ, ଆଂଶୁ ମଲିକ ଓ ସାକ୍ଷୀ ମଲିକ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ଦିବ୍ୟା କାକ୍ରନ ଓ ମୋହିତ ଗ୍ରୋୱାଲ ଫାଇନାଲ୍‌ରେ ପ୍ରବେଶ କରିପାରି ନ ଥିଲେ ସେମାନଙ୍କ ପାଖରେ ଏବେ ବି କାଂସ୍ୟ ପଦକ ଜିତିବାର ସୁଯୋଗ ରହିଛି।

ଆଜିର ମ୍ୟାଚ୍‌ରେ ଦୀପକ ପୁନିଆ ୮୬ କେଜି ବର୍ଗରେ ଜବରଦସ୍ତ ପ୍ରଦର୍ଶନ କରି ଫାଇଲନାଲ୍‌ରେ ପ୍ରବେଶ କରିଥିବା ବେଳେ ମୋହିତ ଗ୍ରେୱାଲ ୧୨୫ କେଜି ବର୍ଗରେ ସେମିଫାଇନାଲ୍‌ରେ ହାରିଯାଇଥିଲେ। ସେହିପରି ଅଂଶୁ ମଲିକ ୫୭ କେଜି ବର୍ଗରେ ଉତ୍ତମ ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିବା ବେଳେ ଦିବ୍ୟା କାକ୍ରନ ୬୮ କେଜି ବର୍ଗରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ଆଶା ବଜାଇ ରଖିଛନ୍ତି।

ସୂଚନା ଥାଉକି ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ଏପର୍ଯ୍ୟନ୍ତ ୨୦ ପଦକ ଜିତି ସାରିଥିବା ବେଳେ ଏଥିରେ ୬ ଟି ସ୍ୱର୍ଣ୍ଣ,୭ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ସାମିଲ ରହିଛି। ଏବା ବାଦ୍ ୭ ମୁଷ୍ଟି ଯୋଦ୍ଧା ଫାଇନାଲ୍‌ରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି। ତେବେ ଏହାକୁ ମିଶାଇ ଭାରତର ୨୭ ମେଡାଲ ପକ୍କା ହୋଇଛି। ଆଜି ଅଷ୍ଟମ ଦିନରେ ଭାବିନା ପାରା ଟେବଲ ଟେନିସ ଫାଇନାଲ୍‌ରେ  ସ୍ଥାନ ପକ୍କା କରିଛି। ସେହିପରି ପୁରୁଷ ରିଲେ ରେସ୍‌ ଟିମ୍ ବି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.