ପ୍ଲେ-ଅପ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜୁରାଟ୍‌କୁ ୫୫ ରନ୍‌ରେ ହରାଇଲା

Published By : Prameya-News7 Bureau | March 15, 2023 IST

ମୁମ୍ବାଇ ୧୫।୦୩ : ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍ସ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛି । କ୍ରମାଗତ ଭାବେ ୫ଟି ମ୍ୟାଚ୍‌ ଜିତି ୧୦ ପଏଣ୍ଟ ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ମୁମ୍ବାଇ । ଆଗକୁ ବିଜୟ ଜାରି ରଖିଲେ ମୁମ୍ବାଇ ଇଣ୍ଡିଅନ୍ସ ସିଧା ଫାଇନାଲ୍‌ରେ ଟିକେଟ୍‌ ହାସଲ କରିବ । ନଚେତ ଏଲିମିନେଟର ମୁକାବିଲା ଖେଳିପାରିବ ।

ଡି.ୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫୫ ରନ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ହର୍ମନପ୍ରୀତ କୌରଙ୍କ ଆକ୍ରମଣା ଅର୍ଦ୍ଧଶତକ ବଳରେ ୮ ୱିକେଟ୍‌ ହରାଇ ୧୬୨ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ଜାଏଣ୍ଟ୍‌ସ ୯ ୱିକେଟ୍‌ ହରାଇ ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା । ହର୍ମନପ୍ରୀତ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ଗୁଜରାଟ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା । ବିସ୍ଫୋରକ ଓପନର ହେଲି ମାଥ୍ୟୁସ ଖାତା ଖୋଲିପାରିନଥିଲେ । ଏହାପରେ ବ୍ୟାଟିଂ  କରିବାକୁ ଆସିଥିବା ନାତାଲି ସ୍କିଭର-ବ୍ରଣ୍ଟ ଅନ୍ୟ ଓପନର ୟସ୍ତିକା ଭାଟିଆଙ୍କ ସହ ମିଶି ସ୍ଥିତି ସୁଧାରି ନେଇଥିଲେ । ଉଭୟ ଆକର୍ଷଣୀୟ ସଟ୍‌ ଖେଳି ଦଳୀୟ ସ୍କୋରକୁ ୭୫ରେ ପହଞ୍ଚାଇଥିଲେ । ବ୍ରଣ୍ଟ ୫ଚୌକା, ୧ଛକା ବଳରେ ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ୟସ୍ତିକା ଭାଟିଆ ୩୭ ବଲରୁ ୪୪(୫ଚୌକା, ୧ଛକା) ରନ୍‌ କରି ଆଉଟ୍‌ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ହର୍ମନପ୍ରୀତ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ଫଳରେ ଦଳୀୟ ସ୍କୋର ୧୬୨ରେ ପହଞ୍ଚିଥିଲା । ସେ ୩୦ଟି ବଲ୍‌ର ସାମ୍ନା କରି ୭ଚୌକା ଓ ୨ଛକା ବଳରେ ୫୧ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ କେର ୧୯ ରନ୍‌ କରିଥିଲେ । ଗୁଜରାଟ ଜାଏଣ୍ଟ୍‌ସ ପକ୍ଷରୁ ଆସଲି ଗାର୍ଡନର ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ କିମ ଗାର୍ଥ, ସ୍ନେହ ରାଣା ଓ ତନୁଜା କୱଁର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । 

୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ଜାଏଣ୍ଟ୍‌ସ ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କ ମୁକାବିଲା କରିପାରିନଥିଲା । ଓପନର ଶୋଫିଆ ଡଙ୍କଲି ଖାତା ଖୋଲିପାରି ନଥିଲେ । ଏସ ମେଘନା ଓ ହର୍ଲିନ ଦେଓଲ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ୧୬ରନ୍‌ କରି ମେଘନା ଆଉଟ୍‌ ହେବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୭ ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା । ହର୍ଲିନ ୨୨ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆନାବେଲ ସୁଦରଲାଣ୍ଡ ୦, ଆସଲି ଗାର୍ଡନର ୮ ଓ ଡି ହେମଲତା ୬ ରନ୍‌ କରିଥିଲେ । ସ୍ନେହ ରାଣା କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ ହେଁ ଶେଷରେ ୨୦ ରନ୍‌ କରି ପାଭିଲିୟନ ଫେରିଥିଲେ ।

ସୁଷମା ବର୍ମା ଗୋଟିଏ ପଟେ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ହେଁ ଗୁଜରାଟ ଜାଏଣ୍ଟ୍‌ସ ଅନ୍ୟ ପଟରେ ଆଉ ୨ଟି ୱିକେଟ୍‌ ହରାଇଥିଲା । କିମ ଗାର୍ଥ ୮ ଓ ତନୁଜା କୱଁର କୌଣସି ରନ୍‌ କରିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ସୁଷମା ଅପରାଜିତ ରହି ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇଥିଲେ । ସେ ୧୮ ରନ୍‌ କରିଥିଲେ ।

ସେହିପରି ମାନଷୀ ଯୋଶୀ ୭ ରନ୍‌ କରି ଅପରାଜିତ ରହିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନାତାଲି ସ୍କିଭର-ବ୍ରଣ୍ଟ ଓ ହେଲି ମାଥ୍ୟୁସ୍‌ ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଆମେଲିଅ କେର ୨ଟି ୱିକେଟ୍‌ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.