ହରମନପ୍ରୀତଙ୍କ ଅଧିନାୟକତ୍ବ, ହେଲିଙ୍କ ଅଲରାଉଣ୍ଡର ପ୍ରଦର୍ଶନ; ଟାଇଟଲ୍ ହାତେଇଲା ମୁମ୍ବାଇ
28/03/2023 at 9:38 AM

ମୁମ୍ବାଇ ୨୮।୦୩; ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ବ୍ରାବର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ୩ଟି ବଲ୍ ପୂର୍ବରୁ ୧୩୨ ରନର ଟାର୍ଗେଟ ହାସଲ କରିଥିଲା ହରମନପ୍ରୀତଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଏମିତି କିଛି ଖେଳାଳି ଅଛନ୍ତି ଯାହାଙ୍କ ଦମଦାର ପ୍ରଦର୍ଶନ ଦମରେ ମୁମ୍ବାଇକୁ ବିଜୟ ମୁକୁଟ ପିନ୍ଧିବାରେ ହୋଇଥିଲା ବେଶ୍ ସହାୟକ । ଆସନ୍ତୁ ଜାଣିବା ମୁମ୍ବାଇ ଇଣ୍ଡିଆନ୍ସର ସେହି ପାଞ୍ଚ ଖେଳାଳିଙ୍କ ବିଷୟରେ । ଯେଉଁମାନେ ପୁରା ଡବ୍ଲୁପିଏଲ୍ ସିଜିନରେ ଚମତ୍କାର ପ୍ରଦର୍ଶନ କରିଥିଲେ ।

ବିଜୟ ମୁକୁଟର ବଡ ବିନ୍ଧାଣୀ ଥିଲେ ହେଲି ମ୍ୟାଥ୍ୟୁସ । ୱେଷ୍ଟଇଣ୍ଡିଜ୍ ଅଧିନାୟକ ହେଲି ମାଥ୍ୟୁସ୍ ୧୦ଟି ମ୍ୟାଚରେ ଗୋଟିଏ ଅର୍ଦ୍ଧଶତକ ସହ ୩୦.୧୧ ହାରରେ କରିଥିଲେ ୨୭୧ ରନ୍ । ଏଥିସହ ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ଏହି ଇଣ୍ଡିଜ ଖେଳାଳି। ସେ ପୂରା ମ୍ୟାଚରେ ନେଇଥିଲେ ୧୬ ୱିକେଟ୍ । ଫାଇନାଲରେ ମାଥ୍ୟୁସ୍ ମାତ୍ର ୫ ରନ୍ ଦେଇ ୩ଟି ଓ୍ଵିକେଟ୍ ଦଖଲ କରିଥିଲେ । ଯେଉଁଥିପାଇଁ ସେ ହାତେଇଛନ୍ତି ପର୍ପଲ କ୍ୟାପ୍ । କେବଳ ଏତିକି ନୁହେଁ, ହେଲି ମ୍ୟାଥ୍ୟୁସଙ୍କୁ ଟୁର୍ଣ୍ଣାମେଣ୍ଟର ସବୁଠୁ ମୂଲ୍ୟବାନ ଖେଳାଳୀ ଭାବେ ବିବେଚନା କରାଯାଇଛି।

ମୁମ୍ବାଇର ଟାଇଟଲ୍ ଜିତିବାରେ ଇଂଲଣ୍ଡର ଅଲରାଉଣ୍ଡର ନେଟ୍ ସାଇବର-ବ୍ରଣ୍ଟ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ରହିଛି। ସାଇବର ବ୍ରଣ୍ଟ ୧୦ଟି ମ୍ୟାଚ୍ରେ ୬୬.୪୦ ହାରରେ କରିଛନ୍ତି ୩୩୨ ରନ । ଚଳିତ ସିଜନରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୧୦ ୱିକେଟ୍ ନେଇଥିଲେ ସାଇବର-ବ୍ରଣ୍ଟ ।

ଏହା ପଛକୁ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଏମିଲିଆ କେର୍ । ସେ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୨ ବର୍ଷୀୟା ଏମିଲିଆ କେର ମାତ୍ର 14.06 ହାରରେ ନେଇଛନ୍ତି 15 ୱିକେଟ୍ । କେର୍ ବ୍ୟାଟିଂରେ ମଧ୍ୟ ଜୋରଦାର ପ୍ରଦର୍ଶନ କରିଛନ୍ତି । ସେ 37.25 ହାରରେ 149 ରନ୍ କରିଛନ୍ତି ।

ଇଂଲଣ୍ଡର ଦ୍ରୁତ ବୋଲର ଇସି ଓ୍ବଙ୍ଗ୍ ୟୁପି ୱାରିୟର୍ସ ବିପକ୍ଷ ଏଲିମିନେଟର ମ୍ୟାଚରେ ଏକ ସ୍ମରଣୀୟ ହ୍ୟାଟ୍ରିକ୍ ନେଇଥିଲେ । ଏହାପରେ ଦିଲ୍ଲୀ ବିପକ୍ଷ ଫାଇନାଲ ମ୍ୟାଚରେ ପ୍ରଥମରୁ ହିଁ ତିନୋଟି ୱିକେଟ୍ ନେଇଥିଲେ ଇସି ଓ୍ବଙ୍ଗ୍ । 20 ବର୍ଷିୟ ଇସି 10 ଟି ମ୍ୟାଚରେ 14.00ରେ ହାରରେ ନେଇଛନ୍ତି ୧୫ ୱିକେଟ୍ ।

ଶେଷରେ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହରମାନପ୍ରୀତ କୌର । ହରମନପ୍ରୀତ 40.41 ହାରରେ 281 ରନ୍ ସଂଗ୍ରହ କରିଥିଲେ । ଏଥିରେ ରହିଛି ତିନୋଟି ଅର୍ଦ୍ଧଶତକ। ଦଳ ପାଇଁ ସର୍ବାଧିକ ରନ୍ ସ୍କୋର କରିବାରେ ହରମନପ୍ରୀତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱ ବେଶ୍ ଚମତ୍କାର ରହିଥିଲା । ଯାହା ତାଙ୍କ ଦଳକୁ ଟାଇଟଲ୍ ହାତେଇବାରେ ବେଶ୍ ସହାୟକ ହୋଇଥିଲା ।

Wpl ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୬ କୋଟି ଟଙ୍କା ମଳିଥିବା ବେଳେ ଉପ ବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ୩ କୋଟି ଟଙ୍କା ମିଳିଛି । ତେବେ ତୃତୀୟ ସ୍ଥାନ ହାସଲ କରିଥିବା ୟୁପି ୱାରିୟର୍ସକୁ ମିଳିଛି ୧ କୋଟି ଟଙ୍କା ।