ସାରା ବିଶ୍ବରେ ୩୪ ଲକ୍ଷ ଲୋକ କରୋନା ସଂକ୍ରମିତ, ୨.୩୯ ଲକ୍ଷରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୨।୫: ସାରା ବିଶ୍ବରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ଯୋଗୁଁ ୨ ଲକ୍ଷ ୩୯ ହଜାର ୫୮୬ ଜଣ ପ୍ରାଣ ହରାଇଥିବା ବେଳେ ୩୪ ଲକ୍ଷ ୬୦୭ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏହାସହ ୧୦ ଲକ୍ଷ ୮୧ ହଜାର ୫୮୮ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କରୋନା ମହାମାରୀ ଦ୍ବାରା ଆମେରିକା ଅଧିକ ପ୍ରଭାବିତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ଦେଶରେ ସଂକ୍ରମଣ ହେତୁ ଅତି କମରେ ୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ କିନ୍ତୁ ଆମେ ଏହାକୁ ଏହି ସଂଖ୍ୟାରେ ପହଞ୍ଚିବାକୁ ଦେବୁ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଛନ୍ତି ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୧୮୮୩ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ୧୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । ନ୍ୟୁୟର୍କ ଷ୍ଟେଟ୍ ୨୪,୦୬୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ସ୍ପେନ୍ ଏବଂ ଫ୍ରାନ୍ସର ମୃତ୍ୟୁସଂଖ୍ୟା ସହ ପାଖାପାଖି ସମାନ । ଏଟାରେ ୩ ଲକ୍ଷ ୧୫ ହଜାର ୨୨୨ଜଣ ସଂକ୍ରମିତ ହୋଇଛନ୍ତି । ଚୀନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ବିଚାର କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏହି ସଂକ୍ରମଣ ବିସ୍ତାରକୁ ରୋକିବାରେ ଚୀନ୍ ବିଫଳ ହୋଇଛି ।

ଋଷରେ କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୧୧୬୯ ଜଣଙ୍କର ମୃତ୍ୟୁ ହୋଇଛି । ମସ୍କୋରେ ଦେଶରେ ସର୍ବାଧିକ ୬୯୫ ଜଣଙ୍କର ମୃତ୍ୟୁ ଘଟିଛି। ମସ୍କୋର କରୋନା ଭାଇରସ୍ ରେସପନ୍ସ ସେଣ୍ଟର ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ସେହିଭଳି ସ୍ପେନ୍ ରେ ୨୪,୮୨୪ ଲୋକ ସଂକ୍ରମିତ ହୋଇଥିବା ବେଳେ ଫ୍ରାନ୍ସରେ ୨୪,୫୯୪ ଲୋକ ସଂକ୍ରମିତ ହୋଇଛନ୍ତି ।

ଆଲଜେରିଆରେ ୪୧୫୧ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଆଲଜେରିଆର ରାଷ୍ଟ୍ରପତି ଅବଦେଲମାଜିଦ୍ ଟାବୁନ୍ କହିଛନ୍ତି ଯେ, ଯଦି ଦେଶରେ ଏହି ଭାଇରସ୍ ବିସ୍ତାର ଜାରି ରଖେ ତେବେ ଲକ୍ ଡାଉନ୍ କରାଯାଇପାରେ । ଆହୁରି ମଧ୍ୟ, ସମସ୍ତ ବ୍ୟବସାୟ ବନ୍ଦ ହୋଇପାରେ । ସେ କହିଛନ୍ତି ଯେ ଅର୍ଥନୈତିକ ସଙ୍କଟ ଦୂର କରିବା ପାଇଁ ବ୍ୟବସାୟୀ ସଂଘର ଅନୁରୋଧ କ୍ରମେ ସରକାର ବ୍ୟବସାୟକୁ ପୁନଃ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଯଦି ଏହି ନିଷ୍ପତ୍ତି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରେ, ତେବେ ସବୁକିଛି ବନ୍ଦ ହେବା ଉଚିତ୍ । ଅଧିକ କଠୋର ପଦକ୍ଷେପ ନିଆଯାଇପାରେ । ଆଲଜେରିଆର ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଦେଶରେ ଏପର୍ଯ୍ୟନ୍ତ ୪୧୫୧ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୪୫୩ ଜଣଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନରେ କରୋନା ସଂକ୍ରମଣରୁ ଅଧିକାରୀ ଓ ମନ୍ତ୍ରୀମାନେ ମଧ୍ୟ ଛାଡ୍ ପାଇନାହାଁନ୍ତି । କୁହାଯାଉଛି ଯେ, ପାକିସ୍ତାନର ରାଷ୍ଟ୍ରୀୟ ବିଧାନସଭା ବାଚସ୍ପତି ଆସାଦ କାଇସର ମଧ୍ୟ ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ, କରୋନା ପରୀକ୍ଷାରେ ବାଚସ୍ପତିଙ୍କ ପୁଅ ଏବଂ ଝିଅଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଛି । ବାଚସ୍ପତି ନିଜେ ଟ୍ବିଟ୍ କରି ସେ କରୋନା ପଜିଟିଭ୍ ଥିବା ସୂଚନା ଦେଇଛନ୍ତି । ସଂକ୍ରମଣର ଶିକାର ହୋଇଥିବା ଆସାଦ ହେଉଛି ତୃତୀୟ ପିଟିଆଇ ନେତା । ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୧୬,୦୦୦ରେ ପହଞ୍ଚିଥିବାବେଳେ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.