ଦୁନିଆର ସବୁଠୁ ବୃଦ୍ଧ ବ୍ୟକ୍ତିଙ୍କ ଦେହାନ୍ତ, ୧୧୮ ବର୍ଷ ବୟସରେ ହରାଇଲେ ପ୍ରାଣ
18/01/2023 at 11:04 PM

ନୂଆଦିଲ୍ଳୀ, ୧୮/୦୧: ଦୁନିଆର ସବୁଠୁ ବୃଦ୍ଧ ବ୍ୟକ୍ତି ଲୁସି ରାଣ୍ଡନଙ୍କ ଦେହାନ୍ତ। ମଙ୍ଗଳବାର ୧୧୮ ବର୍ଷ ବୟସରେ ଫ୍ରାନ୍ସରେ ତାଙ୍କର ମୃତ୍ୟୁ ହୋଇଛି। ସେ ଜଣେ ଫ୍ରେଞ୍ଚ ନନ୍ (ଫରାସୀ ଧର୍ମପରାୟଣ ମହିଳା)। ସିଷ୍ଟର ଆଣ୍ଡେ୍ର ନାମରେ ମଧ୍ୟ ପରିଚିତ। ଦ୍ବିତୀୟ ବିଶ୍ବ ଯୁଦ୍ଧର ଏକ ଦଶନ୍ଧି ପୂର୍ବରୁ, ୧୯୦୪ ମସିହା ଫେବୃଆରୀ ୧୧ ରେ ଦକ୍ଷିଣ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ତେବେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆଣ୍ଡେ୍ର ଚିକିତ୍ସିତ ହେଉଥିବା ନର୍ସିଂ ହୋମ୍ ପକ୍ଷରୁ କୁହାଯାଇଛି।
‘ଏହା ଅତ୍ୟନ୍ତ ଦୁଃଖର ଖବର। କିନ୍ତୁ ସେ ଏଭଳି ହେବାକୁ ଚାହୁଥିଲେ। ତାଙ୍କ ପାଇଁ ଏହା ଖୁବ୍ ଖୁସିକର ଯେ ଏବେ ସେ ନିଜ ପ୍ରିୟଜନଙ୍କୁ ଭେଟିବେ’ ବୋଲି କହିଛନ୍ତି ସିଷ୍ଟର ଆଣ୍ଡେ୍ରଙ୍କ ମୁଖପାତ୍ର। ସେହିଭଳି ସହରର ମେୟର ହ୍ୟୁବର୍ଟ ଫାଲ୍କୋ ଟ୍ବିଟରରେ ଆଣ୍ଡେ୍ରଙ୍କ ମୃତ୍ୟୁ ସୂଚନା ଦେବା ସହ ଦୁନିଆର ସବୁଠୁ ବୃଦ୍ଧ ବ୍ୟକ୍ତିଙ୍କ ଦେହାନ୍ତରେ ଦୁଃଖପ୍ରକାଶ କରିଛନ୍ତି।
ତେବେ ସେ ଧର୍ମଗୁରୁ ହେବା ପୂର୍ବରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଛୋଟ ପିଲାଙ୍କ ଯତ୍ନ ନେଉଥିଲେ। ଏହାପରେ ସେ ଦୀର୍ଘ ୨୮ ବର୍ଷ ପର୍ଯ୍ୟନ୍ତ ଅନାଥ ଏବଂ ବୃଦ୍ଧ ଲୋକଙ୍କ ସେବାରେ କରିଥିଲେ। ଗତ ବର୍ଷ ସେ ତାଙ୍କର ୧୧୮ ତମ ଜନ୍ମଦିବସ ପାଳନ କରିଥିଲେ। ଜେରୋନଟୋଲୋଜୀ ରିସର୍ଚ୍ଚ ଗ୍ରୁପ୍ (GRG) ବିଶ୍ବର ସୁପରସେଣ୍ଟେନାରିଆାନ୍ (୧୧୦ ବର୍ଷରୁ ଅଧିକ ବଞ୍ଚିଥିବା ବ୍ୟକ୍ତି) ରାଙ୍କିଙ୍ଗ୍ ଲିଷ୍ଟ ଅନୁଯାୟୀ ସିଷ୍ଟର ଆଣ୍ଡେ୍ର ଦୁନିଆର ସବୁଠୁ ବୃଦ୍ଧ ବ୍ୟକ୍ତି ଥିଲେ।
ସେ ବିଶ୍ବର ସବୁଠୁ ପୁରୁଣା ଜାପାନିଜ୍ ମହିଳା କାନେ ତାନାକାଙ୍କ ମୃତ୍ୟୁ ପରେ ସିଷ୍ଟର ଆଣ୍ଡେ୍ର ଦୁନିଆର ସବୁଠୁ ବୃଦ୍ଧ ବ୍ୟକ୍ତି ଥିଲେ। ୨୦୨୨ ଏପ୍ରିଲ ୧୯ ରେ ୧୧୯ ବର୍ଷ ବୟସରେ କାନେ ତାନାକଙ୍କ ମୃତ୍ୟୁ ହୋଇଥିଲା।
ବିଶ୍ବାସ କରାଯାଏ ଯେ ଆୟୁଷ ମୁଖ୍ୟତଃ ଜିନ୍ ଉପରେ ନିର୍ଭର ହୋଇଥାଏ ଏବଂ ଏହା ବଂଶାନୁକ୍ରମିକ। ତଥାପି ବିଶେଷଙ୍କ ମତରେ ଜିନ୍ କମ୍ ମାତ୍ରାରେ ଦାୟୀ। ଉପଯୁକ୍ତ ପରିବେଶ, ଖାଦ୍ୟପେୟ ତଥା ଜୀବନଶୈଳୀ ଦୀର୍ଘ, ଏବଂ ସୁସ୍ଥ ଜୀବନ ମୂଳ ଚାବି।