ଯେଉଁଠି ଦିନକ ୩୦ ଘଣ୍ଟା ! ଉଜ୍ଜୈନରେ ସ୍ଥାପିତ ହେଲା ପ୍ରଥମ ବୈଦିକ ଘଣ୍ଟା

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ଘଣ୍ଟାକ ୪୮ ମିନିଟ୍‌... ଦିନକ ୩୦ ଘଣ୍ଟା...।  ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ସ୍ଥାପିତ ହୋଇଛି ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା। ଗୌଘାଟ ସ୍ଥିତ ଜିଭାଜିରାଓ ବେଦଶାଳାରେ ସ୍ଥାପିତ ହୋଇଛି ବହୁ ପ୍ରତୀକ୍ଷିତ 'ବୈଦିକ ଘଣ୍ଟା'। ଏହି ଘଣ୍ଟା ସମୟ ଗଣନା ଓ ତିଥି ସହିତ ଜାଣିପାରିବେ ଶୁଭ ମୁହୂର୍ତ୍ତ। ମାର୍ଚ୍ଚ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିବେ।

୧୨ଟି ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ସମୟ ଗଣନାର କେନ୍ଦ୍ରବିନ୍ଦୁ ହୋଇଆସିଛି ଉଜ୍ଜୈନର ମହାକାଳେଶ୍ୱର ନଗରୀ । ଏଠାରେ କର୍କଟ ରେଖା ଗତି କରେ ଏବଂ ଏହା ମଙ୍ଗଳ ଗ୍ରହର ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ। ଏଠାରୁ ବିକ୍ରମ ସମ୍ୱତ ଆରମ୍ଭ ହେବା ପରେ ବିକ୍ରମ ସମ୍ୱତଙ୍କ ନାମରେ କ୍ୟାଲେଣ୍ଡର ଓ ଶୁଭ ସମୟ ସମଗ୍ର ବିଶ୍ୱରେ ପ୍ରଚଳନ ହୁଏ। ତେଣୁ ଜିଭାଜିରାଓ ବେଦଶାଳାରେ ୮୦ ଫୁଟ ଉଚ୍ଚ ଟାୱାରରେ ସ୍ଥାପନ କରାଯାଇଛି ଦୁନିଆର ପ୍ରଥମ ବୈଦିକ ଘଣ୍ଟା।

ଏହି ଘଣ୍ଟାର ବିଶେଷତ୍ୱ ​​ହେଉଛି ଏହା ଗୋଟିଏ ସୂର୍ଯ୍ୟୋଦୟ ଏବଂ ପରବର୍ତ୍ତୀ ସୂର୍ଯ୍ୟୋଦୟ ମଧ୍ୟରେ ସମୟ ୩୦ ଘଣ୍ଟା ।  ଭାରତୀୟ ସମୟ ଅନୁସାରେ ଘଣ୍ଟାକ ୬୦ ମିନିଟ୍‌ କିନ୍ତୁ ଏହି ଘଣ୍ଟାରେ ରହିଛି ବ୍ୟତିକ୍ରମ। ଏଠି ଘଣ୍ଟାକ ଅର୍ଥ ୪୮ ମିନିଟ୍ । ସମୟ ସହିତ ଏହା ଭିନ୍ନ ଭିନ୍ନ ମୁହୂର୍ତ୍ତ ଦେଖାଇବ।

ଘଣ୍ଟାର ଟେକ୍ନିସିଆନ ସୁଶୀଲ ଗୁପ୍ତା କହିଛନ୍ତି ଯେ ଏହି ବୈଦିକ ଘଣ୍ଟା ଆମର ପୁରୁଣା ପଦ୍ଧତି ଅନୁସାରେ ସମୟ ଗଣନା କରିବ। ଏହି 30 ଘଣ୍ଟିଆ ବୈଦିକ ଗାଣିତିକ ଘଣ୍ଟାରେ ଆପଣ ପ୍ରତି ଶୁଭ ମୁହୂର୍ତ୍ତକୁ ଦେଖିପାରିବେ ଏବଂ ଏହା ମୋବାଇଲ୍ ଆପରୁ ମଧ୍ୟ ପରିଚାଳିତ ହୋଇପାରିବ। ପ୍ରାୟ ୧୫୦ ଫୁଟ ଉଚ୍ଚର ଏକ କ୍ରେନ୍ ମାଧ୍ୟମରେ ୱାଚ୍ ଟାୱାରର ପ୍ରାୟ ୮୦ ଫୁଟ ଉଚ୍ଚରେ ଏହାକୁ ସ୍ଥାପନ କରାଯାଇଛି। ଏହା ପ୍ରଥମେ ଟେଷ୍ଟିଂ କରାଯିବ।

ଏହି ଦୁନିଆର ପ୍ରଥମ ବୈଦିକ ଘଣ୍ଟା ସ୍ଥାପନ କରିବାରେ ଡକ୍ଟର ମୋହନ ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବାବେଳେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ମାର୍ଚ୍ଚ ୧ରେ ପିଏମ ମୋଦୀ ଏବଂ ସିଏମ ଯାଦବ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.