ନୂଆଦିଲ୍ଲୀ, ୦୫/୦୧: ମହୁମାଛିଙ୍କ ପାଇଁ ବାହାରିଲା ବିଶ୍ବର ପ୍ରଥମ ଭାକ୍ସିନ୍। ମହୁମାଛିଙ୍କୁ ରୋଗରୁ ରକ୍ଷା କରିବ ଏହି ଭାକ୍ସିନ। ପ୍ରଥମ ଦେଶ ଭାବରେ ଆମେରିକା ଏହି ଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଆମେରିକାର ବାୟୋଟେକ୍ କମ୍ପାନୀ ’ଦଲାନ ଆନିମଲ ହେଲଥ ଆଇଏନସି’ ଦ୍ବାରା ପ୍ରସ୍ତୁତ ହୋଇଥିବା ଭାକ୍ସିନକୁ ଅନୁମତି ଦେଇଛି ଆମେରିକାର କୃଷିବିଭାଗ। ମହୁମାଛିଙ୍କୁ ହେଉଥିବା ଆମେରିକାନ୍ ଫୋଲବ୍ରୁଡ୍ (American Foulbrood) ନାମକ ରୋଗରୁ ରକ୍ଷା କରିବ ଏହି ଭାକ୍ସିନ୍। ତେବେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତରେ ଏହି ଅନୁମତି ଦିଆଯାଇଛି।
ପେନିବାସିଲସ୍ ଲାର୍ଭା (Paenibacillus larvae) ବ୍ୟାକ୍ଟେରିଆ ଯୋଗୁଁ ମହୁମାଛିଙ୍କୁ ଏହି ରୋଗ ହୋଇଥାଏ। ଏହା ମହୁମାଛିଙ୍କୁ ଦୁର୍ବଳ କରିବା ସହ ମହୁଫେଣାକୁ ନଷ୍ଟ କରିଥାଏ। ଆମେରିକାରେ ଏହି ରୋଗ ପ୍ରଥମଥର ଚିହ୍ନଟ ହୋଇଥିବାବେଳେ ପରେ ଏହା ସାରା ବିଶ୍ବକୁ ବ୍ୟାପିଥିଲା। ଏହି ରୋଗ ଯୋଗୁଁ ଅନେକ ସମୟରେ ମହୁମାଛି ଚାଷୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।
ତେବେ ଏହି ଭାକ୍ସିନକୁ ରାଣୀ ମହୁମାଛିର ଖାଦ୍ୟରେ ଦିଆଯିବ। ସାଧାରଣତଃ, ଅନ୍ୟ ମହୁମାଛିମାନେ ସଂଗ୍ରହ କରୁଥିବା ମହୁକୁ ଖାଇଥାଏ ରାଣୀ ମହୁମାଛି। ତେଣୁ ଏହି ଉପାୟରେ ଏହି ଭାକ୍ସିନକୁ ରାଣୀ ମହୁମାଛିକୁ ଦିଆଯାଇପାରିବ। ଏଥିପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଜେଲି ପ୍ରସ୍ତୁତ କରାଯାଇଛି ଯାହାକୁ ମହୁ ସଂଗ୍ରହ କରୁଥିବା ମହୁମାଛି ଖାଇବେ ଏବଂ ଏହିଭଳି ଭାବରେ ରାଣୀ ମହୁମାଛି ପାଖରେ ପହଞ୍ଚିବ। ଭାକ୍ସିନ ରାଣୀ ମହୁମାଛିକୁ ସୁରକ୍ଷିତ କରିବା ସହ ରାଣୀ ମହୁମାଛି ଦେଉଥିବା ଅଣ୍ଡାରୁ ବାହାରୁଥିବା ଛୁଆ ମଧ୍ୟ ଏହି ରୋଗରୁ ସୁରକ୍ଷିତ ରହିପାରିବେ।
ତେବେ ଏହାଦ୍ବାରା ମହୁମାଛି ଚାଷ କରୁଥିବା ଚାଷୀଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇବର୍ଷ ପାଇଁ ଏହି ଭାକ୍ସିନକୁ ଲାଇସେନ୍ସ ମିଳିଛି ଏବଂ ଏହାକୁ କିଛି ମହୁଚାଷୀଙ୍କୁ ଦିଆଯିବ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ବିକ୍ରୟ ପାଇଁ ଅନୁମତି ମିଳିବାନେଇ ଅନୁମାନ କରାଯାଉଛି।