ବିଶ୍ବର ପ୍ରଥମ ଉଡ଼ନ୍ତା କାରକୁ ଆମେରିକା ସରକାରଙ୍କ ଅନୁମତି, ଥରେ ଚାର୍ଜ କଲେ ଉଡ଼ିପାରିବ ୧୭୭ କିମି
30/06/2023 at 11:25 PM

ନୂଆଦିଲ୍ଲୀ, ୩୦/୦୬: ଆଜିର ଜନ ବହୁଳ ସମୟରେ କୌଣସି ସ୍ଥାନକୁ ଯିବାପାଇଁ ହେଲେ ଟ୍ରାଫିକ୍ ସମସ୍ୟା ସାମ୍ନା କରିବାକୁ ପଡ଼ୁଛି। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ରେ ଫସି ରହିବାକୁ ପଡ଼ୁଛି। କିନ୍ତୁ ଥରେ ଭାବନ୍ତୁ ତ’ ଯଦି କୌଣସି ସ୍ଥାନକୁ ଉଡ଼ିକରି ଯିବା ସମ୍ଭବ ହୁଏ। ଆଉ ତାହାବି ପୁଣି କାର୍ରେ । ତାହେଲେ କେତେ ସହଜ ହୁଅନ୍ତା। ତେବେ ଏଭଳି କଳ୍ପନାକୁ ବାସ୍ତବରେ ପରିଣତ କରିଛି ଆମେରିକାର ଏକ କାର୍ ନିର୍ମାତା କମ୍ପାନୀ। ଏହି କମ୍ପାନି ତିଆରି କରିଛି ଏକ ଉଡ଼ନ୍ତା କାର୍। ଯାହାକୁ ଏବେ ମିଳିଛି ଆମେରିକା ସରକାରଙ୍କ ଅନୁମତି।
କାଲିଫର୍ଣ୍ଣିଆର ଆଲିଫ୍ ଏରୋନଟିକ୍ସ (Alef Aeronautics) କମ୍ପାନି ଏହାର ଇଲେକ୍ଟ୍ରିକ୍ ଭର୍ଟିକାଲ ଟେକ୍ଅଫ୍ ଏବଂ ଲ୍ୟାଣ୍ଡିଂ (eVTOL)ର ମଡେଲର ‘Alef Model A’ ନାମକ ଏକ କାର୍ ନିର୍ମାଣ କରିଛି। ଯାହା ଭୂମିରେ ଚାଲିପାରିବ ଏବଂ ଆକାଶରେ ଉଡ଼ିପାରିବ। ଏହାକୁ ଆମେରିକା ସରକାରଙ୍କ ତରଫରୁ ସମସ୍ତ ବୈଧାନିକ ଅନୁମତି ପାଇଛି ଉଡ଼ାଣ ଭରିବାକୁ। ଏହି କାର୍ ବିଷୟରେ କମ୍ପାନି ୨୦୨୨ ଡିସେମ୍ବର ସୂଚନା ଦେଇଥିଲା। ଆଲିଫ ମଡେଲ ଏ କାର୍ ଭୁପୃଷ୍ଠରୁ ସିଧା ଆକାଶକୁ ଉଠି ଟେକ୍ଅଫ୍ କରିବ ଏବଂ ସମାନ ସିଧା ଭାବରେ ଲ୍ୟାଣ୍ଡିଂ କରିବ।
ଏହି କାର୍ ଗୋଟିଏ ଥର ଚାର୍ଜ ହେଲେ ୩୨୨ କିମି ରାସ୍ତାରେ ଚାଲିପାରିବ ଏବଂ ୧୭୭ କିମି ଉଡ଼ିପାରିବ। ଏଥିରେ ଦୁଇ ଜଣ ବସିପାରିବେ। ମଡେଲ ଏ ଫ୍ଲାଇଂ କାର୍ର ମୂଲ୍ୟ ୨.୪୬ କୋଟି ରହିଛି। କମ୍ପାନି ତରଫରୁ କୁହାଯାଇଛି ଯେ ଗାଡ଼ିକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଗାଡ଼ି କିଣିବାକୁ ଲୋକଙ୍କ ଏବଂ ବିଭିନ୍ନ କମ୍ପାନିଙ୍କ ତରଫରୁ ବିପୁଳ ମାତ୍ରାରେ ପ୍ରି ଅର୍ଡର ମିଳିଛି। ଏହି ମଡେଲ ଏ ୨୦୨୫ରେ ଏହାର ଉତ୍ପାଦନ ଆରମ୍ଭ ହେବ। ସେହିପରି କମ୍ପାନିର ଆଉ ଏକ କାର୍ Model Z ୨୦୩୫ ବେଳକୁ ଆସିବା ନେଇ ଲକ୍ଷ୍ୟ ରଖାଯାଇଛି। ମଡେଲ ଜେଡ୍ ଥରେ ଚାର୍ଜରେ ୪୮୩ କିମି ଡ୍ରାଇଭିଂ ରେଞ୍ଜ ଏବଂ ୨୨୦ ଫ୍ଲାଇଂ ରେଞ୍ଜ ରହିବ। ଏଥିରେ ଚାରିରୁ ଛଅ ଜଣ ବସିପାରିବେ।
ଏକ ବିଜ୍ଞପ୍ତିରେ କମ୍ପାନି କହିଛି ଯେ, ୟୁଏସ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (FAA) କାର୍କୁ ସ୍ବତନ୍ତ୍ର ଉଡ଼ାଣ ସାର୍ଟିଫିକେଟ ଦେଇଛି। ଏହା ପ୍ରଥମ ଥର ଯେତେବେଳେ ଏଭଳି ଏକ ଗାଡ଼ିକୁ ଆମେରିକା ସରକାର ଅନୁମତି ଦେଇଛନ୍ତି। ତେବେ ଏବେବି ଏଫଏଏ ଏଭଳି ଉଡ଼ାଣ ଭରିପାରୁଥିବା କାର୍ ପାଇଁ ନିୟମ ଉପରେ କାମ କରୁଛି। ତେବେ ସାର୍ଟିଫିକେଟରେ ଏହାର ଭିନ୍ନ ଭିନ୍ନ ମଡେଲ ପାଇଁ କିଛି ସୀମା ରହିଛି। ଯେପରିକି ଏହା ଅନୁମତି ପ୍ରାପ୍ତ ସ୍ଥାନରୁ ଉଡ଼ାଣ ଭରିପାରିବ।
‘‘ଆମେ ଏହି ସାର୍ଟିଫିକେଟକୁ ପାଇବା ପାଇଁ ବେଶ୍ ଉତ୍ସାହିତ ଅଛୁ। ଏହା ଆମକୁ, ଲୋକଙ୍କୁ ପରିବେଶ ଅନୁକୂଳ ଯୋଗାଯୋଗର ଏକ ଉନ୍ନତ ମାଧ୍ୟମ ଯୋଗାଇବାର ଆହୁରି ନିକଟତର କରାଇବ। ଏହା ଏକ ବିମାନ ପାଇଁ ଛୋଟ ପଦକ୍ଷେପ ଏବଂ କାର୍ ପାଇଁ ବଡ଼ ପଦକ୍ଷେପ’’ ବୋଲି କହିଛନ୍ତି ଆଲିଫ୍ ସିଇଓ ଜିମ୍ ଦୁଖୋଭ୍ନୀ।