ସୀମା ସୁରକ୍ଷା କରିବେ ବିଶ୍ୱର ପ୍ରଥମ ମହିଳା ଓଟ ସବାର ଦଳ, ଭାରତ-ପାକିସ୍ତାନ ସୀମାରେ ହେବ ମୁତୟନ
15/09/2022 at 7:28 PM

ନୂଆଦିଲ୍ଲୀ ୧୫।୯: ସୀମା ସୁରକ୍ଷା ବଳ (ବିଏସଏଫ) ବିଶ୍ୱର ପ୍ରଥମ ମହିଳା ଓଟସବାର ଦଳ ଗଢିଛି। ଏହି ମହିଳା ଦଳକୁ ଦେଶର ପଶ୍ଚିମ ସୀମାରେ ମୁତୟନ ହେବେ। ୧ ଡିସେମ୍ବର ସୀମା ରକ୍ଷକ ବଳ ସ୍ଥାପନା ଦିବସରେ ଏ ନେଇ ସାର୍ବଜନିକ ଘୋଷଣା କରାଯିବ। ପରେ ଏହି ଦଳକୁ ରାଜସ୍ଥାନ ଓ ଗୁଜରାଟ ସଲଗ୍ନ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମୁତୟନ କରାଯିବ।

ବିଏସଏଫ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂହଙ୍କ କହିବାର କଥା ହେଲା ଭାରତୀୟ ସେନାରେ ମହିଳାମାନେ ପୁରୁଷଙ୍କ ସହ ମିସି ସୀମା ସୁରକ୍ଷା କରନ୍ତି। ଏଣୁ ସେ ବିଶ୍ୱର ପ୍ରଥମ ମହିଳା ଓଟସବାର ଦଳ ଗଠନ କରିଛନ୍ତି। ପ୍ରଥମ ଥର ମହିଳାମାନଙ୍କୁ ସୀମା ସୁରକ୍ଷା ବଳରେ ସାମିଲ କରିବା ସହିତ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଇଛନ୍ତି। ମହିଳାଙ୍କୁ ଓଟରେ ବସାଇ ସେମାନଙ୍କୁ ନିୟନ୍ତ୍ରିତ କରିବାର କଳା ଶିଖାଇଛନ୍ତି, ଯାହାଦ୍ୱାରା ଆବଶ୍ୟକ ପଡିଲେ ମହିଳାମାନେ ମରୁ ବାଲିରେ ଓଟ ଦଉଡାଇ ସୀମା ସୁରକ୍ଷା କରିପାରିବେ।

ଏହି ଦଳକୁ ଗଢିବା ପୂର୍ବରୁ ଓ ଏଥିରେ ଥିବା ମହିଳାମାନଙ୍କୁ ଓଟ ଉପରେ ଚଢାଇବା ପୂର୍ବରୁ ସେମାନଙ୍କୁ ପ୍ରଥମେ ମାନସିକ ରୂପେ ପ୍ରସ୍ତୁତ କରାଯାଇଥିଲା। ପରେ ବିକାନିରରେ ମାଷ୍ଟର ଟ୍ରେନର ସେମାନଙ୍କୁ କ୍ୟାମେଲ ରାଇଡିଂ ଟ୍ରେନିଂ ଦେଇ କୁଶଳ କରିଥିଲେ। ଭାରତର ବିଏସଏଫ ବିଶ୍ୱର ସର୍ବ ବୃହତ୍ତ ସୀମା ସୁରକ୍ଷା ବଳ। ୧ ଡିସେମ୍ବର ୧୯୬୫ ମସିହାରେ ବିଏସଏଫର ସ୍ଥାପନା ହୋଇଥିଲା। ୫୭ ବର୍ଷ ପରେ ସୀମା ସୁରକ୍ଷା ପାଇଁ ୧୮୮ଟି ବଟାଲିୟନ ଗଠିତ ହୋଇଥିବା ବେଳେ ଏହି ସବୁ ବଟାଲିୟନ ଏବେ ସୀମା ସୁରକ୍ଷା କରୁଛନ୍ତି।