WTCର ଫାଇନାଲ୍‌ରେ ପହଞ୍ଚିବ ଭାରତ ! ବାଂଲାଦେଶ ସିରିଜ୍ ବିଜୟ ପରେ ଜାଣନ୍ତୁ କେମିତି ରହିଛି ସମୀକରଣ

Published By : Prameya-News7 Bureau | December 25, 2022 IST

ନୂଆଦିଲ୍ଲୀ:  ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୦ରେ ଜିତି ନେଇଛି। ଭାରତର ୨୦୨୨ରେ ଏହା ଥିଲା ଶେଷ ଶୃଙ୍ଖଳା। ଆଉ ବିଜୟ ସହ ଭାରତ ଚଳିତ ବର୍ଷ ଶେଷ କରିଛି। ଏବେ ଭାରତୀୟ ଦଳର ନଜର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଉପରେ ରହିଛି। କାରଣ ଏହି ଶୃଙ୍ଖଳା ବିଜୟ ପରେ ଭାରତର ସ୍ଥିତି ଆହୁରି ମଜବୁତ ହୋଇଛି।

ବାଂଲାଦେଶକୁ ୨-୦ରେ ହରାଇବା ପରେ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ତାଲିକାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଛି। ପ୍ରଥମରେ ରହିଛି ଅଷ୍ଟ୍ରେଲିଆ, ଯାହା ବିରୋଧରେ ଭାରତ ନିଜ ଘରୋଇ ମାଟିରେ ଚାରି ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ତେଣୁ ଭାରତର ଫାଇନାଲ୍‌ରେ ପହଞ୍ଚିବାରେ ସୁଯୋଗ ରହିଛି।

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟରେ ବିଜୟ ପରେ ଭାରତ ପଏଣ୍ଟ ତାଲିକାର ତୃତୀୟରେ ଥିଲା। ଏବେ ୨-୦ରେ ବିଜୟ ଏବଂ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ହାତରୁ ହାରିବା ପରେ ଏହାର ଫାଇଦା ଭାରତକୁ ମିଳିଛି। ଶୃଙ୍ଖଳା ସରିବା ପରେ ଭାରତର ବିଜୟ ପ୍ରତିଶତ ୫୮.୯୩ ପ୍ରତିଶତ ରହିଥିବା ବେଳେ ୫୪.୫୫ ପ୍ରତିଶତ ସହ ଦକ୍ଷିଣ ଆଫ୍ରିକା ତୃତୀୟରେ ରହିଛି। 

ଭାରତୀୟ ଦଳ ଯଦି ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୪-୦ରେ ହରାଇଦିଏ ତେବେ ଦଳର ବିଜୟ ପ୍ରତିଶତ ୬୮.୧ ପ୍ରତିଶତରେ ପହଞ୍ଚିବ ଏବଂ ଦଳର ଫାଇନାଲ୍‌ରେ ପହଞ୍ଚିବା ସୁନିଶ୍ଚିତ  ହୋଇଯିବ। ତେବେ ଅଷ୍ଟ୍ରେଲିଆକୁ ହରାଇବା ସେତେଟା ସହଜ ନୁହେଁ। ଚଳିତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଭାରତ ୮ଟି ମ୍ୟାଚ୍ ଜିତିଥିବା ବେଳେ ୪ଟି ହାରିଛି ଏବଂ ୨ଟି ମ୍ୟାଚ୍ ଡ୍ର ରହିଛି। ଅଦ୍ୟାବଧି ଭାରତ ୫ଟି ସିରିଜ୍ ଖେଳି ସାରିଥିବା ବେଳେ ଏଥିରୁ ପାଞ୍ଚ ପଏଣ୍ଟ ପେନାଲ୍‌ଟି ଭାବେ ହରାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ର ସିରିଜ୍‌ରୁ କଣ ଆଶା ରହିଛି

ଯଦି ଭାରତ ଗୋଟିଏ ମ୍ୟାଚ୍‌ ଜିତିବ ନାହିଁ ତେବେ- ବିଜୟ ପ୍ରତିଶତ ୪୫.୮ ପ୍ରତିଶତ ରହିବ।

ଯଦି ଭାରତ ଗୋଟିଏ ମ୍ୟାଚ୍ ଜିତେ ତେବେ- ବିଜୟ ପ୍ରତିଶତ ୫୧.୪ ପ୍ରତିଶତ ରହିବ।

ଯଦି ଭାରତ ଦୁଇଟି ମ୍ୟାଚ୍ ଜିତେ ତେବେ- ବିଜୟ ପ୍ରତିଶତ ୫୬.୯ ପ୍ରତିଶତ ରହିବ।

ଯଦି ଭାରତ ତିନୋଟି ମ୍ୟାଚ୍ ଜିତେ ତେବେ- ବିଜୟ ପ୍ରତିଶତ ୬୨.୫ ପ୍ରତିଶତ ରହିବ।

ଯଦି ଭାରତ ଚାରୋଟି ଯାକ ମ୍ୟାଚ୍ ଜିତେ ତେବେ- ବିଜୟ ପ୍ରତିଶତ ୬୮.୧ ପ୍ରତିଶତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.