କରୋନା ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ୩ହଜାର ୭୦୦ କୋଟି ଟଙ୍କା କ୍ଷତି
5/03/2020 at 4:09 PM

ସାରା ବିଶ୍ୱକୁ ଏବେ କରୋନା ଆତଙ୍କିତ କରିଛି। ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବି ଛାଡିନି। କରୋନା ସଂକ୍ରମଣ ଯୋଗୁ ୨୦୨୦ ବର୍ଷ ଆରମ୍ଭରୁ ବିଶ୍ୱ ଫିଲ୍ମ ଇଣ୍ଡଷ୍ଟ୍ରିରେ ମାନ୍ଦାବସ୍ଥା ଉପୁଜିଥିବା ବେଳେ ୩ହଜାର ୭୦୦ କୋଟି ଟଙ୍କା କ୍ଷତିର ଏବେ ଆକଳନ କରାଯାଉଛି। ଏଥି ଯୋଗୁ ପ୍ରଯୋଜକମାନେ ଏବେ ସେମାନଙ୍କର ମୁକ୍ତି ଅପେକ୍ଷାରେ ଥିବା ଫିଲ୍ମର ପ୍ରିମିୟର ଡେଟ୍ ଆଗକୁ ଘୁଞ୍ଚାଉଛନ୍ତି। ଏଥିରେ ଜେମ୍ସବଣ୍ଡ ଫିଲ୍ମର ରିଲିଜ ୭ ମାସ ପରେ ହେବ ବୋଲି ଜଣାପଡିଛି।

ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ଚୀନ, ସାଉଥ୍ କୋରିଆ, ଆମେରିକା, ଜାପାନ ଓ ଇଟାଲୀ ଆଦି ଦେଶମାନଙ୍କରେ ସାର୍ବଜନିକ ସ୍ଥଳକୁ ଗତାଗତ ଉପରେ କଟକଣା ଲଗାଇଦେଇଛନ୍ତି। ଏଣୁ ପ୍ରେକ୍ଷାଳୟମାନଙ୍କରେ କାରବାର ଠପ ହୋଇଯାଇଛି। ଚୀନ ପରେ ଏବେ ସାଉଥ କୋରିଆ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଏଣୁ କୋରିଆ ଫିଲ୍ମ ଆସୋସିଏସନ ଏହି ସମୟକୁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ଲାଗି ସବୁଠୁ ଖରାପ ସମୟ ବୋଲି କହିଛି।

କରୋନାରୁ ହଲିଉଡ ବି ବାଦ ପଡିନି। ହଲିଉଡ୍ ଫିଲ୍ମର ବେଶି ଚାହିଦା ଚୀନରେ ରହିଛି। କରୋନା ବ୍ୟାପୀବା ଯୋଗୁ ଚୀନରେ ପ୍ରେକ୍ଷାଳୟ ବନ୍ଦ ହୋଇଯାଇଥିବା ବେଳେ ଫିଲ୍ମପ୍ରଦର୍ଶନ ହୋଇପାରୁନି। ଏଣୁ ହଲିଉଡର ରିଲିଜ ଅପେକ୍ଷାରେ ଥିବା ଫିଲ୍ମଗୁଡିକର ରିଲିଜ ମଧ୍ୟ ଟଳିଛି। ଜେମ୍ସ ବଣ୍ଡ ସିରିଜର ଫିଲ୍ମ ଆୟ ମାମଲାରେ ପ୍ରାୟତଃ ଆଗରେ ରହେ। ହେଲେ ଚୀନ ପରିସ୍ଥିତି ଯୋଗୁ ପ୍ରଯୋଜକ ସିରିଜର ଆଗାମୀ ଫିଲ୍ମର ରିଲିଜକୁ ୭ ମାସ ଆଗକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।