ଭୁବନେଶ୍ବର ୨୫/୯: ଆଧୁନିକ ବୈଜ୍ଞାନିକ ପଦ୍ଧତି ଦ୍ବାରା ସାରା ବିଶ୍ବର ଲୋକଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାରେ ଫାର୍ମାସିଷ୍ଟମାନଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି। ଶିକ୍ଷା ଓ ଅନୁସନ୍ଧାନ(ଡ୍ରିମଡ୍ ଟୁ ବି ୟୁନିଭର୍ସିଟି)ପକ୍ଷରୁ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ଉପସ୍ଥିତ ବକ୍ତା ଏହି ମତ ଦେଇଛନ୍ତି।
ଜନସାଧାରଣକୁ ଆଧୁନିକ ଚିକିତ୍ସା ପ୍ରଦାନ କରିବାରେ ଫର୍ମାସିଷ୍ଟମାନଙ୍କର ଏକାଗ୍ରତା ରହିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ସୋଆ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସର ଡିନ୍ ପ୍ରଫେସର୍ ଏସ୍.ସି.ସି କାର୍ଯ୍ୟକ୍ରମ ଅବସରରେ ମତ ବ୍ୟକ୍ତ କରିଛନ୍ତି।
ଚଳିତ ବର୍ଷ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳନର ମୁଖ୍ୟ ପ୍ରସଙ୍ଗ ହେଉଛି ଫାର୍ମାସିଷ୍ଟ : ତୁମର ଔଷଧ ବିଶେଷଜ୍ଞ। ଏହି ପ୍ରସଙ୍ଗ ସମ୍ପର୍କରେ ଅଧିକ ସୂଚନା ଦେଇ ପ୍ରଫେସର୍ ସି କହିଛନ୍ତି ଫାର୍ମାସିଷ୍ଟମାନେ ବିଶ୍ବର ଏଭଳି ଏକ ନେତୃତ୍ବ ଯେଉଁମାନେ ଗବେଷଣା ଦ୍ବାରା ଫାର୍ମାସି କ୍ଷେତ୍ରରେ ଅନେକ ନୂତନ ଦିଗନ୍ତ ସୃଷ୍ଟି କରିପାରିଛନ୍ତି।

ଏହି ଦିବସ ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦ୍ବାରା ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର୍ ଅମିତ୍ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକା,ସମାଜ ପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ବବୋଧତା ଉପରେ ଗୁରୁତ୍ବାରୋପ କରିଥିଲେ। ସୋଆର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର୍ ଅଶୋକ ମହାପାତ୍ର,ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ପୁଷ୍ପରାଜ ସାମନ୍ତସିଂହାର,ଡ.ଅଜୟ ଜେନା,ଡ.ପ୍ରସନ୍ନ ପ୍ରଧାନ,ଡ.ରାଜେଶ ଲେଙ୍କା ଓ ନର୍ସିଂ ସୁପରିଟେଣ୍ଡେଣ୍ଟ ଶ୍ରୀମତି ମିନତୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟରେ ଉପସ୍ଥିତ ଥିଲେ।
ଏସପିଏସର ଶତାଧିକ ବି.ଫାର୍ମା ଏବଂ ଏମ୍. ଫାର୍ମାର ଛାତ୍ରଛାତ୍ରୀମାନେ ଏହି ଦିବସ ଅବସରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକା ନେଇ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ର୍ୟାଲି ବାହାର କରିଥିଲେ।
୨୦୦୯ମସିହାରୁ ଇଣ୍ଟରନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍ ଦ୍ବାରା ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳନ କରାଯାଉଛି ବୋଲି ପ୍ରଫେସର୍ ସି ସୂଚନା ଦେଇଛନ୍ତି।