ଡାଭୋସରେ ଜାନୁଆରୀ ୧୬ରୁ ୨୦ ଯାଏ WEFର ବୈଠକ, ବିଶ୍ୱ ନେତାଙ୍କ ସହ ଭାରତର ବହୁ କେନ୍ଦ୍ରମନ୍ତ୍ରୀ ହେବେ ସାମିଲ
15/01/2023 at 5:36 PM

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ହେବାକୁ ଥିବା ବିଶ୍ୱ ଆର୍ଥିକ ମଞ୍ଚର ବୈଠକ ଜାନୁଆରୀ ୧୬ରୁ ୨୦ ଯାଏ ଆୟୋଜିତ ହେବ । ଚଳିତ ଥର ଥିମ କୋ-ଅପରେସନ ଇନ ଏ ଫ୍ରେଗମେଣ୍ଟଡ ୱାର୍ଲଡ ରଖାଯାଇଛି । ବୈଠକରେ ୟୁକ୍ରେନ ସଂକଟ, ବୈଶ୍ୱିକ ମୁଦ୍ରାସ୍ଫୀତି, ଜଳବାୟୁ ପରିବର୍ତ୍ତନ ପରି ପ୍ରସଙ୍ଗ ଉପରେ ଚର୍ଚ୍ଚାର ସମ୍ଭାବନା ଅଧିକ ।
ବୈଠକରେ ଶିକ୍ଷାବିତ୍, ନିବେଶକ, ବିଶେଷଜ୍ଞଙ୍କ ସହ ବ୍ୟବସାୟୀକ ଏବଂ ରାଜନୈତିକ ନେତା ସାମିଲ ହୋଇ ବର୍ତ୍ତମାନର ଆହ୍ୱାନ ଉପରେ ଆଲୋଚନା କରିବେ । ବିଶ୍ୱ ନେତାମାନେ ୟୁରୋପୀୟନ ୟୁନିୟନର ଅଧ୍ୟକ୍ଷ ଉର୍ସୁଲା ୱାନ ଡେନ ଲେୟେନ, ଜର୍ମାନୀ ଚାନସଲର ଅଲୋଫ ସ୍କୋଜ, ୟୁରୋପୀୟ ସଂସଦର ଅଧ୍ୟକ୍ଷ ରବର୍ଟ ମେଟସୋଲା, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ଏମ ରାମାଫୋସା, ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ପାଞ୍ଚେଜ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ-ୟୋଲ, ସ୍ୱିସ୍ ରାଷ୍ଟ୍ରପତି ଏଲେନ ବେର୍ସେଟ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମାରିନ ଭାଗ ନେବେ ।
ବିଶ୍ୱ ଆର୍ଥିକ ମଞ୍ଚର ବୈଠକରେ ଅନେକ ଭାରତୀୟ ନେତାଙ୍କ ଯୋଗ ଦେବାର ସମ୍ଭାବନା ରହିଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ, ସ୍ମୃତି ଇରାନୀ ଏବଂ ଆରକେ ସିଂ ସାମିଲ ହେବେ । ଅନ୍ୟ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିଏସ ବୋମ୍ମଇ ଏବଂ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହେବେ । ଏହାସହ ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖର, ରାଜେଶ ଗୋପୀନାଥ, ସିପି ଗୁରନାନୀ, ଋଷଦ ପ୍ରେମଜୀ, ବିଜୟ ଶେଖର ଶର୍ମା, ଏସବିଆଇର ଅଧ୍ୟକ୍ଷ ଦିନେଶ କୁମାର ଖାରା ଏବଂ ସୀରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା ମଧ୍ୟ ସାମିଲ ହୋଇପାରନ୍ତି ।