କ୍ରିକେଟ୍ ବିଶ୍ବକପ୍ ୨୦୧୯ : ଆଜି ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା

Published By : Prameya-News7 Bureau | May 31, 2019 IST

ଲଣ୍ଡନ ୩୧|୫: ଇଂଲଣ୍ଡର ନଟିଙ୍ଗହାମ୍ ଟେଣ୍ଟବ୍ରିଜଠାରେ ଆଜି ବିଶ୍ବକପର ଦ୍ବିତୀୟ ମ୍ୟାଚ ଖେଳାଯିବ ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ ଭିତରେ । ବ୍ୟାଟିଂ ଏବଂ ବୋଲିଂରେ ଅଭିଜ୍ଞ ଏବଂ ସାଣିତ ଖେଳାଳିଙ୍କୁ ନେଇ ୱେଷ୍ଟଇଣ୍ଡିଜ ଦଳ ବେଶ ଶକ୍ତିଶାଳୀ । ସେପଟେ ୨୦୧୭ ଚାମ୍ପିଆନ୍ସ ଟ୍ରଫି ଜିତିଥିବା ପାକିସ୍ତାନ ମଧ୍ୟ କମାଲ ଦେଖାଇପାରେ । ନଟିହାଂମର ପିଚ୍ ବ୍ୟାଟସ୍ ମ୍ୟାନଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ତେଣୁ ଆଜି ହାଇ ସ୍କୋରିଂ ମ୍ୟାଚ ହେବାର ସମ୍ଭାବନା ରହିଛି । ଏପରିକି ସ୍କୋର ୩୪୦ପାର ହୋଇପାରେ । ୱେଷ୍ଟଇଣ୍ଡିଜ ଏବଂ ପାକିସ୍ତାନ ମଧ୍ୟରେ ମୋଟ ୧୩୩ଟି ମ୍ୟାଚ ଖେଳା ଯାଇଛି । ଏଭିତରୁ ୱେଷ୍ଟଇଣ୍ଡିଜ ୭୦ଟି ଜିତିଥିବା ବେଳେ ପାକିସ୍ତାନ ୬୦ଟି ଜିତିଛି । ସେହିପରି ବିଶ୍ବକପରେ ଏହି ଦୁଇ ଦଳ ୧୦ଥର ମୁହାଁମୁହିଁ  ହୋଇଛନ୍ତି, ଏଭିତରୁ ୱେଷ୍ଟଇଣ୍ଡିଜ ୭ଟି ଜିତିଥିବା ବେଳେ ପାକିସ୍ତାନ ଜିତିଛି ୩ଟି ମ୍ୟାଚ । ଏଦୃଷ୍ଟିରୁ ୱେଷ୍ଟଇଣ୍ଡିଜ ଭଲ ସ୍ଥିତିରେ ରହିଛି । ନଟିଂହାମ ଟେଣ୍ଟବ୍ରିଜ୍ ରେ ଏହି ଦୁଇ ଦଳ କେବେ ମୁହାଁମୁହିଁ ହୋଇନାହାନ୍ତି । ୱେଷ୍ଟଇଣ୍ଡିଜ ପାଇଁ କ୍ରିସ ଗେଲ୍, ହେଟମୟାର, ସାଇ ହୋପ୍ ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ବ୍ୟାଟ୍ ରେ କମାଲ ଦେଇପାରନ୍ତି । ସେହିପରି ବୋଲିଂରେ କଟରେଲ୍, କେମାର କୋଚ୍ ଏବଂ ଜାସନ ହୋଲଡରଙ୍କ ଉପରେ ନିର୍ଭର କରିବ ୱେଷ୍ଟଇଣ୍ଡିଜ । ସେପଟେ ପାକିସ୍ତାନର ଭରସା ବାବର ଆଜମ, ଇମାମ-ଉଲ-ହକ୍ ଏବଂ ଫକର ଜମନଙ୍କ ବ୍ୟାଟ ଉପରେ । ସେହିପରି ହାସନ ଅଲ୍ଲୀ ଏବଂ ସାହିନ ଆଫ୍ରିଦିଙ୍କ ଉପରେ ବୋଲିଂ ଉପରେ ପାକିସ୍ତାନର ଭରସା ।

ଗତକାଲି ଉଦଘାଟନୀ ମ୍ୟାଚ୍ ରେ ଆୟୋଜକ ଇଂଲଣ୍ଡ , ଦକ୍ଷିଣ ଅଫ୍ରିକାକୁ ଏକତରଫା ଭାବେ ୧୦୪ ରନ୍ ରେ ପରାସ୍ତ କରିଛି । ଟସ୍  ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଅଫ୍ରିକା । ବେନ୍ ଷ୍ଟୋକ୍ସଙ୍କ ସମେତ ୪ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ୮ ୱିକେଟ୍ ହରାଇ ଇଂଲଣ୍ଡ କରିଥିଲା ୩୧୧ ରନ୍ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସଫଳ ବୋଲର ଭାବେ ଲୁଙ୍ଗି ନେଗିଡ଼ି ୩ଟି ୱିକେଟ୍ ନେଇଥିଲେ । ୩୧୨ ରନର ପିଛା କରି ଦକ୍ଷିଣ ଅଫ୍ରିକା ୩୯.୫ ଓଭରରେ୨୦୭ ରନ୍ ରେ ଆଲଆଉଟ୍  ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.