ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଲେ ଏମିତି କଥା
11/07/2019 at 9:22 AM

ମାଞ୍ଚେଷ୍ଟର ୧୧|୭: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫଡ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ରଖିଛନ୍ତି । ବିରାଟ କହିଛନ୍ତି ମ୍ୟାଚ୍ର ପ୍ରଥମ ଭାଗ ବହୁତ ଭଲ ଥିଲା । ଆମେ ଭଲ ଖେଳ ପ୍ରଦର୍ଶନ କରିଥିଲୁ । ଟିମ୍କୁ ଯାହା କରିବାର ତାହା କରାଯାଇଥିଲା । ଆମେ ଭାବିଥିଲୁ ଯେ, ଆମେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏମିତି ଏକ ସ୍କୋରରେ ଅଟକାଇ ଦେଇଛି ଯାହାକୁ ଆମେ ଚେଜ୍ କରିପାରିବୁ । ମାତ୍ର ନ୍ୟୁଜିଲ୍ୟାଣ୍ଡ ଦଳ ଯେଉଁଭଳି ଭାବେ ବୋଲିଂ କରିଥିଲା ସେଥିଯୋଗୁଁ ମ୍ୟାଚ୍ର ସ୍ଥିତି ବଦଳିଯାଇଥିଲା ।
ଦଳର ପରାଜୟ ପରେ ମଧ୍ୟ ବିରାଟ କୋହଲି ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଜାଡେଜା ଖେଳିଥିବା ଦୁଇଟି ଯାକ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କ ପ୍ରଦର୍ଶନ ଟିମ୍ ପାଇଁ ଭଲ ଥିଲା । ଏହା ସ୍ବୀକାର କରିବା କଷ୍ଟକର ମାତ୍ର ନ୍ୟୁଜିଲ୍ୟାଣ୍ଡ ଟିମ୍ ଏହି ବିଜୟର ହକଦାର । ନ୍ୟୁଜିଲ୍ୟାଣ୍ଡ ଟିମ୍ ଆମକୁ ଚାପରେ ରଖିଥିଲା ।
ବିରାଟ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଟିମ୍ର ବ୍ୟାଟ୍ସମ୍ୟାନ ମାନଙ୍କର ଶଟ୍ ସିଲେକସନ ବହୁତ ଖରାପ ଥିଲା । ଯାହା ଫଳରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ସେ କହିଛନ୍ତି ଯେ, ଆମ ଟିମ୍ ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛି । ମାତ୍ର ନକଆଉଟ୍ରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଆମଠୁ ଅଧିକ ଦୃଢତାର ସହ ଖେଳିଥିଲା ।