ଆଇସିସି ୱାର୍ଲଡକପ୍ ୨୦୧୯: ଓଭାଲରେ ବିରାଟ ବାହିନୀର କମାଲ, ୩୬ ରନରେ ହାରିଲେ କଙ୍ଗାରୁ
9/06/2019 at 11:20 PM

ଲଣ୍ଡନ : ଆଇସିସି ୱାର୍ଲଡ କପର ରବିବାର ଅନୁଷ୍ଠିତ ଦ୍ବିତୀୟ ମ୍ୟାଚ୍ କୁ ଭାରତ ଅକ୍ଲେଶରେ ଜିତିଯାଇଛି। ଅଷ୍ଟ୍ରେଲିଆ ସହ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ପ୍ରଥମ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପ୍ନର ବ୍ୟାଟ୍ସମ୍ୟାନମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ୫ଥର ବିଶ୍ବ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭାରତ ୩୫୩ ରନର ବିଜୟ ଲକ୍ଷ ଦେଇଥିଲା। ତେବେ ୩୧୬ ରନରେ ଅଟକି ଯାଇଛି ଅଷ୍ଟ୍ରେଲିଆ। ଚଳିତ ବିଶ୍ବକପ୍ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଛିଡା କରିଥିବା ସ୍କୋରଥିଲା ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ କ୍ରିକେଟର ସର୍ବାଧିକ ସ୍କୋର। ଶତକୀୟ ଇନିଂସ ପାଇଁ ଶିଖର ଧାୱନଙ୍କୁ ପ୍ଲେୟାର ଅଫଦି ମ୍ୟାଚ୍ ଘୋଷଣା କରାଯାଇଛି।

ଧାଓ୍ବନ ଓ ରୋହିତ ଶର୍ମାଙ୍କ ଓପ୍ନିଂ ଜୋଡି ପ୍ରଥମ ୱିକେଟ୍ ରେ ଅର୍ଥାତ ୨୨.୨ ଓଭର ସୁଦ୍ଧା ୧୨୭ ରନ୍ ସଂଗ୍ରହ କରିଥିଲେ। ୫୭ ରନରେ ରୋହିତ ଶର୍ମା ନାଥନ କୁଲ୍ଟର ନାଇଲଙ୍କ ବଲରେ ଆଉଟ୍ ହୋଇଥିବା ବେଳେ କ୍ରିଜରେ ଧାୱନଙ୍କ ସାଥ ଦେଇଥିଲେ ବିରାଟ କୋହଲୀ। ଦ୍ବିତୀୟ ୱିକେଟ୍ ଜୋଡିରେ ଭାରତ ଅଧିକ ୯୩ ରନ ସଂଗ୍ରହ କରିଥିବା ବେଳେ ଧାୱନ ତାଙ୍କର ୱାନଡେ ଇଣ୍ଟରନ୍ୟାସନାଲର ସପ୍ତଦଶ ତଥା ଆଇଇସିସି ୱାର୍ଲଡ କପର ତୃତୀୟ ଶତକ ହାସଲ କରିଥିଲେ। ଧାୱନ ୧୧୭ ରନ କରିଥିବା ବେଳେ ଇନିଂସରେ ମୋଟ ୧୬ଟି ଚୌକା ଲଗାଇଛନ୍ତି। ବୀରାଟ କୋହଲୀଙ୍କ ବଳିଷ୍ଠ ୮୨ ରନ ସାଙ୍ଗକୁ ହାର୍ଦିକ ପାଣ୍ଡ୍ୟାନଙ୍କ ୪୮ ଓ ଧୋନୀଙ୍କ ୨୭ ରନ ସହଯୋଗରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୩୫୨ର ବିଶାଳ ସ୍କୋର ଛିଡା କରିଥିଲା।

୩୫୩ ରନର ବିଜୟ ଲକ୍ଷ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା କଙ୍ଗାରୁ ଦଳ ପ୍ରଥମରୁ ମାନ୍ଦା ଖେଳି ୧୪ତମ ଓଭରରେ ପ୍ରଥମ ୱିକେଟ ହରାଇଥିଲା। ସେତେବେଳକୁ ଫିଞ୍ଚ ବ୍ୟକ୍ତିଗତ ୩୬ ରନ କରିଥିବା ବେଳେ ୧୫ ଓଭର ବେଳକୁ ଦଳ ଗୋଟିଏ ୱିକେଟ୍ ହରାଇ କରିଥିଲା ୬୭ ରନ। ତେବେ ସ୍ମିଥଙ୍କ ଲଢୁଆ ୭୦ରନ ଓ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ସତ୍ବେ ବିଜୟ ଲକ୍ଷରେ ପହଞ୍ଚି ପାରିନଥିଲା ଅଷ୍ଟ୍ରେଲିଆ। ଭୁବନେଶ୍ବର କୁମାର ୩, ବୁମରାହ ୩ ଓ ଚହଲ ୨ଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ବିଜୟ ଲକ୍ଷରୁ ଅନେକ ଦୂରରେ ରହିଯାଇଛି ଅଷ୍ଟ୍ରେଲିଆ। ଏହା ସହ ଭାରତ ବିଶ୍ବକପ୍ ମ୍ୟାଚ୍ ରେ ୧-୧ ଅଗ୍ରଣୀ ଲାଭ କରିଛି।