ନୂଆଦିଲ୍ଲୀ ୦୯।୦୨ - ବିଶ୍ୱରୁ ବିଭିନ୍ନ ପ୍ରଜାତିର ଜୀବ ଜନ୍ତୁ ଏବେ ଲୁପ୍ତ ପ୍ରାୟ ଅବସ୍ଥାରେ । ସାରା ବିଶ୍ୱରେ ୧୦ଟି ପ୍ରଜାତିର ଜୀବ ନିଶ୍ଚିହ୍ନ ହୋଇଯିବ ଅବସ୍ଥାରେ ଅଛନ୍ତି । ଏଥିରୁ ଭାରତର ତିନୋଟି ପ୍ରଜାତିର ଜୀବ ରହିଛନ୍ତି । ଭାରତରୁ ନିଶ୍ଚିହ୍ନ ହେଉଥିବା ପ୍ରଜାତି ମଧ୍ୟରେ ଗ୍ରେଟ ଇଣ୍ଡିଆନ୍ ବୁଷ୍ଟାର୍ଡ, ଏସୀୟ ହାତୀ ଓ ବେଙ୍ଗଲ ଫ୍ଲୋରିକାନ୍ ଅଛନ୍ତି । ଏମାନଙ୍କର ପ୍ରଜାତିର ସୁରକ୍ଷା ପାଇଁ ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ତେବେ ବି ଏହି ପ୍ରଜାତି ଏବେ ଲୁପ୍ତପ୍ରାୟ । ଏହି ଲୁପ୍ତପ୍ରାୟ ପ୍ରଜାତିର ଜୀବଜନ୍ତୁଙ୍କୁ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।
ଜାତିସଂଘର ସଙ୍ଗଠନକୁ ବିଭିନ୍ନ ଦେଶ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି । ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ପ୍ରବାସୀ ବା migratory ପ୍ରଜାତିକ ଜୀବଜନ୍ତୁଙ୍କ ସଂରକ୍ଷଣ ଏବେ ଆବଶ୍ୟ ହୋଇପଡିଛି । ଗାନ୍ଧୀ ନଗରରେ ଫେବ୍ରୁଆରୀ ୧୫ରୁ ୨୨ ମଧ୍ୟରେ ଏ ନେଇ ଏକ ସମ୍ମିଳନୀର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦ୍ଘାଟନ କରିବେ ।
ଏ ସବୁ ପ୍ରଜାତିର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ୍ ୧୭୩ ପ୍ରଜାତିର ଜୀବଜନ୍ତୁ ପକ୍ଷୀ ଥିବା ବେଳେ ୧୦ ଜଣ ଏବେ ନିଶ୍ଚିହ୍ନ ହେବା ଦ୍ୱାରରେ ପହଞ୍ଚିଛନ୍ତି ।
ଜାତିସଂଘ ପକ୍ଷରୁ ଏହି ସବୁ ଲୁପ୍ତ ପ୍ରଜାତିର ସଂରକ୍ଷଣ ପାଇଁ ଚେଷ୍ଟା କରାଯାଉଛି। ଏମାନଙ୍କୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ ବୋଲି ଜାତିସଂଘ ପରିବେଶ ବିଭାଗର କାର୍ଯ୍ୟକାରୀ ନିର୍ଦେଶକ ଜୋୟସ ମୁସାୟ କହିଛନ୍ତି ।
ବିଶ୍ୱରେ ଜାଗୁଆର, ହ୍ୱାଇଟ୍ ଟିପ୍ ସାର୍କ , ଲିଟିଲ୍ ବୁଷ୍ଟାର୍ଡ, ୟୁରିଆଲ୍, ଆଣ୍ଟିପୋଡିଆଲ୍ ଆଲବଟ୍ରୋସ୍ସ , ସ୍ମୁଥ ହାମର୍ଡ ସାର୍କ , ଟୋପ୍ ସାର୍କ ଏବେ ନିଶ୍ଚିହ୍ନ ହେଉଥିବା ସୂଚନା ମିଳିଛି ।
ଗାନ୍ଧୀ ନଗରରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀରେ COP13 ରେ ପ୍ରଦୁଷଣ, ପ୍ଲାଷ୍ଟିକର ବ୍ୟବହାର ହ୍ରାସ, ଶକ୍ତି କ୍ଷେତ୍ରର ଅପଚୟ ଯୋଗୁଁ ବିଭିନ୍ନ ପ୍ରବାସୀ ପକ୍ଷୀଙ୍କ ଉପରେ ପଡୁଥିବା ନକରାତ୍ମକ ପ୍ରଭାବ କମ୍ କରିବା ଉପରେ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି । ୧୧୦ଟି ଦେଶରୁ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।