ସୋଆରେ ବିଶ୍ୱସ୍ତରୀୟ ଆଥଲେଟ୍ ଲାଓ ଚିନ୍ ମେଙ୍ଗଙ୍କ ପ୍ରଶିକ୍ଷଣ ଶିବିର, ମୂଳସ୍ତରରୁ ଖେଳାଳିଙ୍କୁ ଦେବେ ଟ୍ରେନିଂ

Published By : Prameya-News7 Bureau | November 02, 2022 IST

ଭୁବନେଶ୍ୱର,୨/୧୧: କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖ୍ୟାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ । ଏହି ଅବସରରେ ପିରିଓଡାଇଜେସନ ଓ ପ୍ଲାନିଂ ଟ୍ରେନିଂର କର୍ମଶାଳାର ଆୟୋଜନ କରାଯାଇଛି । ବୁଧବାର ଏହି କର୍ମଶାଳାର ଶୁଭାରମ୍ଭ ହୋଇଛି । କର୍ମଶାଳାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କୋଚମାନଙ୍କୁ କିଭଳି କୋଚିଂ ଓ ଟ୍ରେନିଂ ଦିଆଯିବ ସେ ନେଇ ମାଲେସିଆର ଏହି ଟ୍ରେନର ଆଲୋକପାତ କରିଛନ୍ତି । ମୂଳସ୍ତରର ଖେଳାଳିଙ୍କୁ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରାଯାଇପାରିବ ଓ ବିନା ଚାପରେ ଖେଳାଳି କିଭଳି ନିଜକୁ ଖାପଖୁଆଇ ପାରିବେ ସେ ନେଇ ଟ୍ରେନିଂ ଦେବେ ଲାଓ ଚିନ୍ ମେଙ୍ଗ ।

ଉଦ୍‌ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ କେବଳ ଶିକ୍ଷା ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଶିକ୍ଷା ସହିତ ଶାରୀରିକ ବିକାଶ ହେବା ମଧ୍ୟ ଜରୁରୀ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବର୍ତ୍ତମାନ ରାଜ୍ୟ କ୍ରୀଡା ଦିଗରେ ବେଶ୍‌ ସଫଳତା ପାଇଛି । ତେଣୁ ଯୁବ ଖେଳାଳିଙ୍କୁ କ୍ରୀଡାରେ ସାମିଲ କରି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ କରିହେବ । ଫଳରେ ଯୁବ ଖେଳାଳିଙ୍କୁ କ୍ରୀଡା ଦିଗରେ ଭଲ ପ୍ରଶିକ୍ଷଣ ଦେଇ ଭଲ ଖେଳାଳି ସୃଷ୍ଟି କରିବାରେ ଏହା ସହାୟକ ହୋଇପାରିବ ।

ସେହିପରି ଅନ୍ୟତମ ଅତିଥି ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ରୂପରେଖ ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ଟ୍ରେନର ଲାଓ ଚିନ ମେଙ୍ଗଙ୍କ ପ୍ରଶିକ୍ଷଣ ଆଗାମୀ ଦିନରେ ଓଡିଆ ଖେଳାଳିଙ୍କ ନିମନ୍ତେ ବେଶ ସହାୟକ ହେବ । ଶେଷରେ ସ୍ପୋଟର୍ସ ଅଫିସର ଶ୍ରୀମତି ସୁନିତା ବର୍ମା ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଜାରୀ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.