World Boxing Championship: ଭାରତକୁ ଦ୍ୱିତୀୟ ଗୋଲ୍ଡ, ନିତୁଙ୍କ ପରେ ସ୍ୱିଟି ବୋରା ହେଲେ ବିଶ୍ୱ ଚାମ୍ପିୟନ
25/03/2023 at 10:30 PM

ନୂଆଦିଲ୍ଲୀ: ସ୍ୱିଟି ବୋରା ଶନିବାର ନୂଆଦିଲ୍ଲୀରେ ଆଇବିଏ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପରେ ଚୀନର ୱାଙ୍ଗ ଲିନାଙ୍କୁ ହରାଇ ୭୫-୮୧ କେଜି ବର୍ଗ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଲାଇଟ୍ ହେଭିୱେଟ୍ ବକ୍ସିଂ ମୁକାବିଲାରେ ନିଜ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସ୍ୱିଟି ୩-୨ରେ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ନିତୁ ଘନଘସ୍ ମଧ୍ୟ ଗୋଲ୍ଡ ମେଡାଲ୍ ଜିତିଥିଲେ । ଶନିବାର ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି ।
ସ୍ୱିଟି ମ୍ୟାଚର ଆରମ୍ଭ ଧୈର୍ଯ୍ୟ ସହ କରିଥିଲେ । ଏହା ପରେ ଆକ୍ରମଣାତ୍ମକ ଖେଳର ପ୍ରଦର୍ଶନ କରି ପ୍ରଥମ ରାଉଣ୍ଡକୁ ୩-୨ରେ ଜିତି ନେଇଥିଲେ । ଦ୍ୱିତୀୟ ରାଉଣ୍ଡ ମଧ୍ୟ ସ୍ୱିଟି ୩-୨ରେ ବିଜୟୀ ହୋଇଥିଲେ । ଶେଷ ରାଉଣ୍ଡରେ ଚୀନ ଖେଳାଳି ୱାଙ୍ଗ ଲିନା ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଭାରତୀୟ ଖେଳାଳି ମଧ୍ୟ କଡ଼ା ଜବାବ ଦେଇଥିଲେ ।
୯ ବର୍ଷ ପୂର୍ବେ ସ୍ୱିଟିଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଚଳିତ ଥର ୱାର୍ଲଡ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ପାଇଁ ବହୁ ବଡ଼ ଖେଳାଳିଙ୍କୁ ସ୍ୱିଟି ହରାଇଥିଲେ । ୨୦୧୮ର ବିଶ୍ୱ ଚାମ୍ପିୟନ ୱାଙ୍ଗ ଲିନାଙ୍କୁ ଏଥର କୌଣସି ସୁଯୋଗ ଦେଇ ନଥିଲେ ସ୍ୱିଟି ।
ଏହା ପୂର୍ବରୁ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ନିତୁ ୪୫-୪୮ କେଜି ବର୍ଗରେ ମଙ୍ଗୋଲିଆର ଲୁତ୍ସାଇଖାନଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ । ପ୍ରଥମ ଥର ପାଇଁ ନିତୁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ।