ଫୋନିର କ୍ଷୟକ୍ଷତି ଆକଳନ କରୁଛି ବିଶ୍ୱବ୍ୟାଙ୍କ ଟିମ : ବିଏମସିର ମୋଟ କ୍ଷତି ପରିମାଣ ୨୩୦ କୋଟି, ୨୩ ଦିନ ପରେ ବି ସ୍ୱାଭାବିକ ହୋଇନାହିଁ ପୁରୀ ସ୍ଥିତି
26/05/2019 at 6:32 PM

ପୁରୀରେ ୫ ଜଣିଆ ବିଶ୍ବବ୍ୟାଙ୍କ ଟିମ୍ । ସାମୁଦ୍ରିକ ବାତ୍ୟା ଫୋନି ଦ୍ବାରା ପୁରୀ କେତେ କ୍ଷତିଗ୍ରସ୍ତ ହୋଇଛି ଏନେଇ ସର୍କିଟ୍ ହାଉସରେ ବୈଠକ କରିଛନ୍ତି ବିଶ୍ବବ୍ୟାଙ୍କ ଟିମ୍ । ସେପଟେ ବାତ୍ୟାର ୨୩ ଦିନ ପରେ ବି ପୁରୀ ସ୍ଥିତି ସ୍ବାଭାବିକ ହୋଇନାହିଁ ।…

ବାତ୍ୟା ଫୋନିର କ୍ଷୟକ୍ଷତି ଆକଳନ କରୁଛି ବିଶ୍ବବ୍ୟାଙ୍କ ଟିମ୍ । ବିଶ୍ବବ୍ୟାଙ୍କ ପ୍ରତିନିଧିଙ୍କ ସହିତ ୟୁନେସ୍କୋ ଓ ଜାତିସଂଘର ବିଭିନ୍ନ ଏଜେନ୍ସିର ଆସିଥିବା ୧୪ଟି ବିଭାଗର ୨୩ ଜଣିଆ ଟିମ୍ ପୁରୀର କ୍ଷୟକ୍ଷତିର ଆକଳନ କରୁଛନ୍ତି । ସ୍ବତନ୍ତ୍ର ସର୍କିଟ୍ ହାଉସରେ ଜିଲ୍ଲାପାଳ ବଲୱନ୍ତ ସିଂହ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ସହିତ ଏହି ଟିମ୍ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର, କ୍ଷୟକ୍ଷତି ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହିତ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।

ମୁଖ୍ୟତଃ ସ୍ବାସ୍ଥ୍ୟ , ପାନୀୟଜଳ ଯୋଗାଣ, ପରିବେଶ, ଜୀବନ ଜୀବିକା, ବାତ୍ୟା ପରବର୍ତ୍ତି ସହାୟତା, ପୁନରୁଦ୍ଧାର ସଂପର୍କରେ ଅନୁଧ୍ୟାନ କରିଛି ବିଶ୍ବ ବ୍ୟାଙ୍କ ଟିମ୍ । ଏହା ମଧ୍ୟରେ ଜିଲ୍ଲାରେ ବାତ୍ୟା ଫୋନି ପରବର୍ତ୍ତି କୃଷି, ପଶୁ ଓ ମତ୍ସ୍ୟସଂପଦ ବିଭାଗର କ୍ଷୟକ୍ଷତି ଆକଳନ ସାରି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

୨-୩ ଦିନ ମଧ୍ୟରେ ଉଦ୍ୟାନ କୃଷି କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତି ପରେ ୱାଲ୍ଡ ବ୍ୟାଙ୍କ ଟିମ୍ ରାଜ୍ୟ ସରକାରଙ୍କୁ ଭେଟିବ।

ଫୋନୀ ପ୍ରଳୟକୁ ୨୩ ଦିନି ବିତି ଯାଇଥିଲେ ବି ଏବେ ସୁଦ୍ଧା ପୁରୀ ସହର ସମେତ ଜିଲ୍ଲାର ସ୍ଥିତି ସେତେଟା ସ୍ବାଭାବିକ ହୋଇନାହିଁ । ପାନୀୟ ଜଳଠାରୁ ଆରମ୍ଭ କରି ଯାତାୟତ ସବୁଥିରେ ସମସ୍ୟା । ପ୍ରଭାବିତ ଅଞ୍ଚଳରେ ସବୁଠାରୁ ଅଧିକ ସମସ୍ୟା ଦେଉଛି ବିଦ୍ୟୁତ । ଗ୍ରାମାଞ୍ଚଳ କଥା ଛାଡନ୍ତୁ ସହରାଞ୍ଚଳରେ ବି ଏବେ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇନାହିଁ ।

ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି । ଆଜିବି ପୁରୀ ସହରରେ ଅର୍ଦ୍ଧାଧିକ ସ୍ଥାନରେ ବିଜୁଳି ସେବା ଆରମ୍ଭ ହୋଇପାରିନାହିଁ । ଯେଉଁଠି ବି ବିଦ୍ୟୁତ ସେବା ଦିଆଯାଇଛି ସେଠି ଦିନରେ ବିଜୁଳି କାଟି ଦିଆଯାଉଛି । ରାତିରେ ଇଛା ହେଲେ ଦିଆଯାଉଛି ନହଲେ ନାହିଁ ।

କେବଳ ସହରରେ ସେବା ସ୍ବାଭାବିକ ହେବାକୁ ଆହୁରି ୧୫ ଦିନ ଲାଗିଯିବ । ସେପଟେ ଜିଲ୍ଲାରେ ୭୦ ପ୍ରତିଶତ ଘରଭଙ୍ଗା କ୍ଷୟକ୍ଷତି ସର୍ଭେ ସରିଛି । ଫନିରେ ମୃତ୍ୟୁବରଣ କରିଥିବା ୩୪ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି ।

